ଓଡିଶା ଆସୁଛନ୍ତି ମୋଦି: କଟକ ବାଲିଯାତ୍ରା ପଡିଆରେ ଜନ କଲ୍ୟାଣ ସମାବେଶକୁ କରିବେ ସମ୍ବୋଧିତ । କେନ୍ଦ୍ରରେ ବିଜେପି ସରକାରଙ୍କ ଚତୁର୍ଥ ବର୍ଷର ଦେବେ ହିସାବ

94

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ୪ବର୍ଷର ହିସାବ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ କଟକ କିଲ୍ଲା ପଡିଆରେ ବ୍ୟାପକ ବନ୍ଦୋବସ୍ତ କରିଛି ରାଜ୍ୟ ବିଜେପି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଗୋଟିଗୋଟି କରି ସବୁ ପ୍ରସ୍ତୁତିର ତର୍ଜମା କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅପରାହ୍ମ ୩ଟା ୨୦ରେ କଟକ ମହାନଦୀ ପଠାରେ ଥିବା କିଲ୍ଲା ପଡିଆରେ ପହଂଚି ଜନକଲ୍ୟାଣ ସମାବେଶରେ ନିଜ ପ୍ରଥମ ପାଳିର ଚତୁର୍ଥ ବର୍ଷର ସଫଳତା କଥା କହିବେ ପ୍ରଧାନମନ୍ତ୍ରୀ ମୋଦି । ଯୋଜନା ମୁତାବକ ୪୮ ମାସରେ ଓଡିଶା ପାଇଁ ମୋଦିଙ୍କ ୪୮ଟି ଯୋଜନାକୁ ନେଇ ବିଜେପି ପ୍ରସ୍ତୁତ କରିଥିବା ପୁସ୍ତକକୁ ଆଜି ଉନ୍ମୋଚନ କରାଯିବ । ପ୍ରଧାନମନ୍ତ୍ରୀ ହେବାପରେ କଟକ ହେବ ମୋଦିଙ୍କ ଷଷ୍ଠ ଓଡିଶା ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟବର୍ଷ ପୂର୍ତି ପାଳନ ଲାଗି ବାଲେଶ୍ୱର ଆସିଥିଲେ । ଏବେ ପୁଣି ଚତୁର୍ଥ ବର୍ଷ ପୂର୍ତି ପାଳନ ବେଳେ ଓଡିଶା ଆସୁଛନ୍ତି । ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂର୍ବ ଭାରତ ଦଖଲ ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । ଆଗକୁ ନିର୍ବାଚନୀ ବର୍ଷ ଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ୨୦୧୯ ବିଧାନସଭା ନିର୍ବାଚନରେ ୧୨୦ର ଦମ୍ଭ ଦେଖାଉଥିବା ରାଜ୍ୟ ବିଜେପି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବଳ ଯୋଗାଇବ ବୋଲି ଅନୁମାନ କରାଯାଉଛି ।

ଆସନ୍ତୁ ନଜର ପକାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ସୂଚୀ ଉପରେ

– ମାତ୍ର ଅଢେଇ ଘଂଟା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

– ଆଜି ଅପରାହ୍ନ ୩ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ

– ଏହାପରେ ଏମଆଇ ୮/୧୭ ହେଲିକେପ୍ଟରରେ କଟକ ଯିବେ ମୋଦି

– ହେଲିପ୍ୟାଡରୁ ବାହାରି ଅପରାହ୍ନ ୪ଟା ୧୫ ମିନିଟରେ ସଭାସ୍ଥଳରେ ପହଂଚିବେ

– କଟକ ବାଲିଯାତ୍ରା ପଡିଆରେ ଜନକଲ୍ୟାଣ ସମାବେଶକୁ ସମ୍ବୋଧିତ କରିବେ

– ପ୍ରାୟ ୧ଘଂଟା ୧୫ମିନିଟ ଧରି ବାଲିଯାତ୍ରା ପଡିଆ ସଭା ମଂଚରେ ରହିବେ ପ୍ରଧାନମନ୍ତ୍ରୀ

– ସଭାକାର୍ଯ୍ୟ ପରେ ଭୁବନେଶ୍ୱର ଆସି ସଂଧ୍ୟା ୫ଟା ୫୦ରେ ଦିଲ୍ଲୀ ଫେରିଯିବେ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୮ବର୍ଷ ଶାସନରେ ବିଜେଡି ସରକାର ରାଜ୍ୟରେ ବୁନ୍ଦାଏ ପାଣି ସଂରକ୍ଷଣ ପାଇଁ କିଛି କରି ନଥିବାବେଳେ ଏବେ ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ବର୍ଷ ତଳେ ବରଗଡ଼ ସମାବେଶରେ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ। ଉତ୍ତରପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ଜଳସଂପଦ ରହିଥିବା ବେଳେ ବିଜେଡି ସରକାର ଏହାର ବିକାଶ ପାଇଁ କ’ଣ କରିଛି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜ ଉତ୍ତରଦାୟିତ୍ୱ ନିର୍ବାହ ପାଇଁ କଟକ ଆସୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।