ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବାରଣାସୀ ଯିବେ ନମୋ : କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ଶୋଭାଯାତ୍ରା କରି ଜନତାଙ୍କୁ ଜଣାଇବେ କୃତଜ୍ଞତା

163

କନକ ବ୍ୟୁରୋ : ଆଜି ବାରଣାସୀ ଯିବେ ଏନଡିଏ ନେତା ନରେନ୍ଦ୍ର ମୋଦି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ସେଇଥିପାଇଁ ବାରଣାସୀର ଜନତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋଦି ଏହି ଗସ୍ତ କରୁଛନ୍ତି । ନିଜ ନିର୍ବାଚନମଣ୍ଡଳି ବାରଣାସୀରେ ପହଂଚିବା ପରେ ମୋଦି ସଡକ ପଥରେ ବାଂସଫାଟକ ଯାଏଁ ଯିବେ । ତାଙ୍କ ଶୋଭାଯାତ୍ରା ସହରର ବିଭିନ୍ନ ପଥ ଦେଇଯିବାର ସୂଚନା ରହିଛି । ଗସ୍ତ ଅବସରରେ ମୋଦି କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚନା କରିବେ । ସେ ବିଜେପି କର୍ମକର୍ତାଙ୍କ ଏକ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ବାରଣାସୀରେ ସୁରକ୍ଷା କଡାକଡି କରାଯାଇଛି । ମୋଦିଙ୍କ ଶୋଭାଯାତ୍ରା ଯିବାକୁ ଥିବା ରାସ୍ତାରେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି ଆଲୋଚନା କରିଥିଲେ । ଏପରିକି ନିଜେ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ନିର୍ବାଚନ ପରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ଭବ୍ୟ ସ୍ୱାଗତ କରିବା ପାଇଁ ଯୋଗୀ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ।

ସେପଟେ ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏନ୍ଡିଏର ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ନେତା ଭାବେ ବାଛିବା ପରେ ଏବେ ସେଇ ଐତିହାସିକ ମୁହୁର୍ତକୁ ଅପେକ୍ଷା, ଯେତେବେଳେ କ୍ରମାଗତ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବେ ମୋଦି । ମେ ୩୦ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ସପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେବେ ବୋଲି ଜଣାପଡିଛି । ସେମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତା ଶପଥ ପାଠ କରାଇବେ । ଏହି ଉତ୍ସବରେ ବହୁ ବିଶିଷ୍ଟ ନେତାଙ୍କ ସମେତ ସାର୍କ ଦେଶର ମୁଖ୍ୟମାନେ ନିମନ୍ତ୍ରିତ ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ଭବନରେ ସଂଧ୍ୟା ୭ଟାରେ ଏହି ଶପଥ ସମାରୋହ ହେବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂୂର୍ବରୁ ମା’ ହୀରାବେନଙ୍କ ଆଶୀର୍ବାଦ ନେଇଛନ୍ତି ମୋଦି । ମା’ଙ୍କ ଆର୍ଶୀବାଦ ନେବା ପୂର୍ବରୁ ଅହମ୍ମଦାବାଦରେ ଏକ ବିଶାଳ ରୋଡ୍ ସୋ ଏବଂ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କୁ ସେ ସମ୍ବୋଧିତ କରିଛନ୍ତି ।