ରାମଲୀଳା ମୈଦାନରୁ ମୋଦିଙ୍କ ଦମ୍ଭୋକ୍ତି ! କଂଗ୍ରେସକୁ ନିଶାନା, କହିଲେ ଚୌକିଦାର ପୁଣି ଗଢ଼ିବେ ସରକାର ।

ତିନୋଟି ବିଜେପି ଶାସିତ ରାଜ୍ୟ ହାତରୁ ଖସିବା ପରେ କିଭଳି ନିର୍ବାଚନରେ ପୁଣି ଦଳ ଭଲ ପ୍ରଦର୍ଶନ କରିବ ତାଉପରେ ସମସ୍ତେ ଜୋର ଦେବାକୁ ମୋଦି ଆଜି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

348

କନକ ବ୍ୟୁରୋ: ୨୦୧୯ରେ କ୍ଷମତା ବଜାୟ ରଖିବ ବିଜେପି । ଅବକୀ ବାର୍ ଫିର୍ ମୋଦି ସରକାର ବୋଲି ଦମ୍ଭୋକ୍ତି  ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ରାମଲୀଳା ମୈଦାନେରେ ଚାଲିଥିବା ବିଜେପି ଜାତୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ମୋଦି-ଶାହ ଯୋଡ଼ି । ଯେଉଁ ଗତିରେ ବିଜେପି ଆଗକୁ ବଢୁଥିଲା ସେଇ ଗତିରେ ଏବେ ବ୍ରେକ୍ ଲାଗିଛି । ଆଉ ତିନୋଟି ବିଜେପି ଶାସିତ ରାଜ୍ୟ ହାତରୁ ଖସିବା ପରେ କିଭଳି ନିର୍ବାଚନରେ ପୁଣି ଦଳ ଭଲ ପ୍ରଦର୍ଶନ କରିବ ତାଉପରେ ସମସ୍ତେ ଜୋର ଦେବାକୁ ମୋଦି ଆଜି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକ ଆରମ୍ଭରୁ ଶେଷ ଯାଏ ମୋଦି ବିରୋଧୀ ଦଳମାନଙ୍କ ଉପରେ ବର୍ଷିଛନ୍ତି । ବିଶେଷ କରି ମୋଦିଙ୍କୁ ଚୌକିଦାର  ଭାବେ ସମାଲୋଚନା କରୁଥିବା କଂଗ୍ରେସ ଦଳକୁ ନିଶାନା କରିଛନ୍ତି ମୋଦି ।

୨୦୧୪ ବର୍ଷ ଠାରୁ ବିଜେପି କ୍ଷମତାକୁ ଆସିବା ପରେ ଦେଶର ବିକାଶ ହେଉଛି । ଯାହାକୁ କଂଗ୍ରେସ ସହ୍ୟ କରି ପାରୁନାହିଁ ବୋଲି କଟାକ୍ଷ କରିଛନ୍ତି ମୋଦି । ଦିଲ୍ଲୀ ରାମଲୀଳା ମୈଦାନରେ ପାଖାପାଖି ୧୨ ହଜାର ବିଜେପି କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ମୋଦି କହିଛନ୍ତି ଯେ, ଅବକୀ ବାର୍ ଫିର୍ ମୋଦି ସରକାର । ୨୦୧୯ରେ ପୁର୍ନବାର କ୍ଷମତାର ଡ଼ୋରୀ ସମ୍ଭାଳିବ ବିଜେପି ବୋଲି ଦୃଢ଼ୋକ୍ତି ରଖିଛନ୍ତି ମୋଦି । ସେହିଭଳି କେନ୍ଦ୍ର ସରକାରଙ୍କ ନିକଟରେ କରିଥିବା ବିଭିନ୍ନ ଜନ ହିତାକରୀ ଯୋଜନାକୁ ଭୋଟରଙ୍କ ପାଖରେ ପହଁଚାଇବାକୁ ତୃଣମୂଳ ସ୍ତରରେ ବିଜେପିକୁ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

ସେପଟେ ଗତକାଲି ବିଜେପିର ଦୁଇ ଦିନିଆ ଜାତୀୟ ପରିଷଦର ଉଦଘାଟନୀ ଦିବସରେ ବିଜେପି ଚାଣକ୍ୟ ଅମିତ ଶାହା ମଧ୍ୟ କଂଗ୍ରେସ ଉପରେ ବର୍ଷିଥିଲେ । ରାମ ମନ୍ଦିର ପ୍ରସଙ୍ଗରେ ଶାହା କହିଥିଲେ ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ବିଜେପି ଚାହୁଁଛି ରାମ ମନ୍ଦିର ଶୀଘ୍ର ହେଉ ମାତ୍ର ଏଥିରେ କଂଗ୍ରେସ ବାଧା ଦେଉଛି । ଅନ୍ୟପଟରେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ପ୍ରକ୍ରିୟା ଆଗକୁ ବଢ଼ି ପାରୁ ନାହିଁ । ଉତ୍ତର ପ୍ରଦେଶ ସଂପର୍କରେ ଦୃଢ଼ୋକ୍ତି ପ୍ରକାଶ କରି ଶାହ କହିଛନ୍ତି ଯେ ବିଜେପି ୟୁପିରେ ୭୩ରୁ ୭୪ ଆସନରେ ବିଜୟୀ ହେବ । ୨୦୧୪ରେ ଆମେ ୭୨ ଆସନ ଦଖଲ କରିଥିଲୁ ଏବଂ ୨୦୧୯ରେ ଏହା ୭୪ ହେବ ବୋଲି ସେ କହିଛନ୍ତି ।