ଜରୁରୀକାଳୀନ ପରିସ୍ଥିତିର ୪୩ ବର୍ଷରେ ବିଜେପି ପାଳନ କଲା କଳା ଦିବସ : ପ୍ରଧାନମନ୍ତ୍ରୀ କହିଲେ, ଗାଦି ବଂଚାଇବାକୁ କଂଗ୍ରେସ ଜାରି କରିଥିଲା ଏମରଜେନ୍ସି

52

କନକ ବ୍ୟୁରୋ : ଜରୁରୀ ପରିସ୍ଥିତିକୁ ବିରୋଧ କରି ବିଜେପି ଦେଶବ୍ୟାପୀ କଳା ଦିବସ ପାଳନ କରୁଥିବା ବେଳେ ମୁମ୍ବାଇରେ ବିଚାର ସମ୍ବୋଧନ ସଭାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜରୁରୀକାଳୀନ ପରିସ୍ଥିତିକୁ ୪୩ ବର୍ଷ ପୂରଣ ଅବସରରେ ସେହି ସମୟର ଭୟାବହତା ସମ୍ପର୍କରେ ବଖାଣିଛନ୍ତି ମୋଦି । ଏହା ସହ କଂଗ୍ରେସକୁ ମଧ୍ୟ ଜୋରଦାର ଟାର୍ଗେଟ୍ କରିଛନ୍ତି । ଜରୁରୀ ପରିସ୍ଥିତି ଜାରି କରି କଂଗ୍ରେସ ପାପ କରିଥିଲା ବୋଲି ମୋଦି କହିଛନ୍ତି । କ୍ଷମତା ମୋହରେ କଂଗ୍ରେସ ଦେଶକୁ ଜେଲଖାନାରେ ପରିଣତ କରି ଦେଇଥିଲା । ଗୋଟିଏ ପରିବାର ପାଇଁ ସମ୍ବିଧାନର ଦୂରୁପଯୋଗ କରାଯାଇଥିଲା । ଯେଉଁଥି ପାଇଁ ସମ୍ବିଧାନକୁ ସମ୍ମାନ କରୁଥିବା ଲୋକଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେ ମଧ୍ୟ କଂଗ୍ରେସର ଏମରଜେନ୍ସି ମାନସିକତା ଯାଇ ନାହିଁ । ମହାଭିଯୋଗ ଆଣି ନ୍ୟାୟପାଳିକାକୁ ଭୟଭୀତ କରିବାକୁ କଂଗ୍ରେସ ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଆଜି ବିଜେପି ପାଳୁଛି କଳା ଦିବସ । ୧୯୭୫ ମସିହା ଜୁନ ୨୬ ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହା ବିରୋଧରେ ଆଜି ବିଜେପି ପୁରା ଦେଶରେ କଳା ଦିବସ ପାଳନ କରୁଛି । ଏନେଇ କେନ୍ଦ୍ର ବିଜେପି ନେତାମାନେ ପୁରା ଦେଶରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜରାଟର ଅହମଦାବାଦ ଯାଇ ସେଠାରେ ପ୍ରେସ କନଫରେନ୍ସ କରିବେ । ସେଠାରେ କଂଗ୍ରେସ ଶାସନର କଳା ଅଧ୍ୟାୟ ସଂପର୍କରେ କହିବେ ଶାହା । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମହାରାଷ୍ଟ୍ରର ପୁଣେ ଯାଇ ଏହି କଳା ଦିବସ ନେଇ ପ୍ରେସ କନଫରେନ୍ସ କରିବେ ।

ଜୁନ ୨୫ ମଧ୍ୟରାତ୍ରିରେ ଇନ୍ଦିରା ଗାନ୍ଧୀ ଆପାତକାଳୀନ ପରିସ୍ଥିତି ଲାଗୁ କରିଥିଲେ, ଯାହା ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଜାରିି ରହିଥିଲା । ସେହିପରି ବିଜେପି ନେତା ଜିତେନ୍ଦ୍ର ସିଂ ଆସାମ ଯାଇ ସେଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେବେ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ଉତରପ୍ରଦେଶର ଲକ୍ଷ୍ନୌ ଯାଇ ବିଜେପି ପାଳୁୂଥିବା କଳା ଦିବସ ନେଇ ପ୍ରେସ କନଫରେନ୍ସ କରିବେ । ସେହିପରି ମଧ୍ୟପ୍ରଦେଶ ଯିବେ ବିଜେପି ନେତା ଅନନ୍ତ କୁମାର । ଆଜିର ଦିନରେ କଗ୍ରେସ କିଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଳା, କିଭଳି ଦେଶରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସେ ନେଇ କହିବେ ଅନନ୍ତ କୁମାର । ସେହିପରି ରାଜସ୍ଥାନ ଯିବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର । ସେଠାରେ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କଳାଦିବସ ନେଇ ସମ୍ବୋଧନ କରିବେ ଜାଭଡେକର ।

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଉତରାଖଣ୍ଡ ଯାଇ ବିଜେପି ପାଳୁଥିବା କଳା ଦିବସ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରିବେ । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜେନରାଲ ଭି.କେ. ସିଂହ ଆନ୍ଧ୍ରପ୍ରଦେଶ ଯିବେ । ସେଠାରେ ଆଜିର ଦିନରେ ଜରୁରୀ ପରିସ୍ଥିତି ଲାଗୁ ସମୟର ଭୟାବହତା ସଂପର୍କରେ ବଖାଣିବେ ବିକେ ସିଂହ । ବିଜେପି ନେତା ଏମ.ଜେ. ଆକବର ମଧ୍ୟ କର୍ଣ୍ଣାଟକ ଯାଇ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ୧୯୭୫ ଏମରଜେନ୍ସି ପରିସ୍ଥିତି ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରିବେ । ଏପଟେ କେନ୍ଦ୍ର ବୟନ ଶିଳ୍ପ ମନ୍ତୀ ସ୍ମୃତି ଇରାନୀ ଓଡିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ସେପଟେ ଆଜି ଓଡିଶାରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ପହଞ୍ଚିଛନ୍ତି । ଆଜି ୧୯୭୫ ମସିହା ଜୁନ୍ ୨୫ ତାରିଖର ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରି ବିଜେପି ଦେଶବ୍ୟାପୀ ପାଳନ କରୁଛି କଳାଦିବସ । ଏହି କ୍ରମରେ ରାଜ୍ୟ ବିଜେପି ପକ୍ଷରୁ ପାଳନ କରାଯାଉଛି କଳାଦିବସ । ଏହି କାର୍ଯ୍ୟକ୍ରମରେ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ସହିଦ ନଗର ସ୍ଥିତ ବୁଣାକାର ସେବା କେନ୍ଦ୍ର ବୁଲି ଦେଖିବାର କାର୍ଯ୍ୟସୂଚୀ ରହିଛି । ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇଛନ୍ତି ସ୍ମୃତି ଇରାନୀ । ଏହାପରେ ଅପରାହ୍ନରେ ସମ୍ପର୍କ ସେ ସମର୍ଥନ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିଲ୍ଲୀ ଫେରିଯିବେ ।