ମୋଦିଙ୍କୁ ଭରସା ନମୋ ଆପ୍ ! ମହାମେଣ୍ଟକୁ ନେଇ କ’ଣ ଭାବୁଛନ୍ତି ଦେଶବାସୀ, ମତାମତ ରଖିବାକୁ ଅନୁରୋଧ ।

ଦେଶବାସୀଙ୍କ ମୁଡ୍ ଜାଣିବାକୁ ଚାହୁଛନ୍ତି ମୋଦି ! ବିଗତ ସାଢ଼େ ୪ ବର୍ଷରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନିଷ୍ପତିକୁ ଦେଶବାସୀ କେଉଁଭଳି ବିଚାର କରୁଛନ୍ତି ସେମାନେ ଏହି ନମୋ ଆପରେ ମତାମତ ଦେବାକୁ ମୋଦି ଆଜି ଆମନ୍ତ୍ରଣ କରିଛନ୍ତି ।

107

କନକ ବ୍ୟୁରୋ: ୨୦୧୯ ନିର୍ବାଚନୀ ବୈତରଣୀ ପାର୍ ହେବାପାଇଁ ମୋଦିଙ୍କୁ ଭରସା ଏବେ ନମୋ ଆପ୍ । ଯେଉଁଥିରେ ଦେଶବାସୀଙ୍କ ମୁଡ଼୍ ବର୍ତ୍ତମାନ ସମୟରେ କ’ଣ ରହିଛି ତାକୁ ନେଇ ନମୋ ଆପ୍ ରେ ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ସାଢ଼େ ୪ ବର୍ଷରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନିଷ୍ପତିକୁ ଦେଶବାସୀ କେଉଁଭଳି ବିଚାର କରୁଛନ୍ତି ସେମାନେ ଏହି ଆପରେ ମତାମତ ଦେବାକୁ ମୋଦି ଆଜି ଆମନ୍ତ୍ରଣ କରିଛନ୍ତି । ଏପରିକି କେଉଁ ଅଞ୍ଚଳରେ ମହାମେଣ୍ଟ ସରକାରର ଆବଶ୍ୟକତା ରହିଛ ତାହାର ମଧ୍ୟ ମତାମତ ଦେବାକୁ ଏକ ସର୍ଭେ କରୁଛନ୍ତି ମୋଦି ।

namo appଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଶାସିତ ରାଜ୍ୟରେ ବିଜେପି ବିରୋଧୀ ହାୱା ବହିବ ବୋଲି ଚର୍ଚ୍ଚା ହେଉଛି । ଏବଂ ଏହାର ନଜୀର ମଧ୍ୟ ଉତ୍ତରପ୍ରଦେଶରେ ସପା-ବିଏସପି ମହାମେଣ୍ଟରୁ ଜଣାପଡ଼ିଛି । ଯାହାକୁ ନେଇ ଚିନ୍ତାରେ ବିଜେପି କ୍ୟାମ୍ପ । ଗତ କିଛି ଦିନ ତଳେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମେଣ୍ଟ ସରକାର ଦୁର୍ବଳ ସରକାର କହି ସମାଲୋଚନା କରିଥିଲେ ମୋଦି । ତେଣୁ କେଉଁ ରାଜ୍ୟରେ ମହାଗଠବନ୍ଧନ ହେବାର ଆବଶ୍ୟକତା ରହିଛି ଏବଂ କାହିଁକି ଏନେଇ ଭୋଟରଙ୍କୁ ଠାରୁ ନମୋ ଆପ୍ ଜରିଆରେ ମତାମତ ଲୋଡ଼ିଛନ୍ତି ମୋଦି । ଏହାକୁ ନେଇ ନମୋ ଆପ୍ ରେ ଏକ ସର୍ଭେ ହେଉଛି, ଯେଉଁଥିରେ ନିଜ ଅଞ୍ଚଳରେ ଚର୍ଚ୍ଚିତ ବିଜେପି ନେତା କିଏ? ବିଜେପି ସରକାରରେ ଦେଶରୁ ଉନ୍ନତି ହେଉଛି ନା ନାହିଁ ? ଆପଣ ବିଜେପିରେ ଜଣେ ସ୍ୱଚ୍ଛାସେବକ ଭାବେ ଯୋଗଦେବେ କି ଏଭଳି ୯ଟି ପ୍ରଶ୍ନକୁ ନେଇ ନମୋ ଆପରେ ସର୍ଭେ କରାଯାଉଛି ।


ବିଜେପି ଶାସିତ ୩ ରାଜ୍ୟର କ୍ଷମତା ହାତରୁ ଯିବାପରେ ଏବେ ବିଜେପି ବିରୋଧରେ ବଳ କଷୁଛନ୍ତି ବିରୋଧୀ । ଯାହାକୁ ନେଇ ବିଜେପି ଶିବିରରେ ଛନକା ପଶିଛି, ଏହାକୁ ପ୍ରତିରୋଧ କରି ମିଶନ୍ ୨୦୧୯ ପୂରଣ କରିବାକୁ ମୋଦିଙ୍କୁ ଏବେ ଭରସା ନମୋ ଆପ୍ । ଏନେଇ ଖୋଦ୍ ମୋଦି ନିଜ ଟ୍ୱିଟ୍ ଜରିଆରେ ନମୋ ଆପ୍ ରେ ମତାମତ ଦେବାକୁ ଅନୁରୋଧ କରିଛନ୍ତି । ଯାହାକୁ ନେଇ ଏବେ ଜାତୀୟ ରାଜନୀତିରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଅନ୍ୟପଟେ ମୋଦିଙ୍କର ଏଭଳି ନମୋ ଆପ୍ ରେ ମତାମତ ଦେଶବାସୀଙ୍କୁ ମୁଡ଼ ବତ୍ତମାନ କ’ଣ ରହିଛି ତାହା ସ୍ପଷ୍ଟ କରିଦେବ । ଯାହାକୁ ନେଇ ବିଜେପି କାହା ସହିତ ଗଠବନ୍ଧନ କରିବା ନା ନାହିଁ ସେଭଳି କିଛି ସମୀକରଣ ମଧ୍ୟ ଦେଖିବାକୁ ମିଳିବ ।