ଆତଙ୍କବାଦୀଙ୍କୁ ମୋଦିଙ୍କ ଚେତାବନୀ ! ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ, କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ଦିଆଗଲା ପୂର୍ଣ୍ଣ ସ୍ୱାଧୀନତା

4,414
କନକ ବ୍ୟୁରୋ : କଶ୍ମୀର ଆତଙ୍କବାଦୀ ଆକ୍ରମଣ ପରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଘଟଣା ପରେ ବର୍ତମାନ ଦେଶରେ ପରିସ୍ଥିତି ଆକ୍ରୋଶ ସହ ଗରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆକ୍ରମଣରେ ପ୍ରାଣହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆମ ସୈନିକଙ୍କ ବୀରତା ଉପରେ ପୁରା ଆମର ସମ୍ପୂର୍ଣ୍ଣ ଭରସା ରହିଛି । ଆକ୍ରମଣ ଘଟାଇଥିବା ଓ ଆତଙ୍କବାଦକୁ ସମର୍ଥନ ଜଣାଉଥିବା ବ୍ୟକ୍ତି ବିଶେଷଙ୍କୁ ଚେତାବନୀ ଦେଇ ମୋଦି କହିଛନ୍ତି ଆତଙ୍କବାଦୀମାନେ ମସ୍ତବଡ଼ ଭୁଲ କରିଛନ୍ତି । ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଆକ୍ରମଣରେ ସମ୍ପୃକ୍ତ ଥିବା ଲୋକଙ୍କୁ କରୋଠ ଦଣ୍ଡ ଦିଆଯିବ ।  ବର୍ତ୍ତମାନ ସମୟରେ ଆତଙ୍କବାଦୀ ବିରୋଧରେ ସମସ୍ତେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ଦରକାର ।
ଏବେ ସମଗ୍ର ଦେଶର ଲୋକଙ୍କ ଭିତରେ ଆକ୍ରୋଶ ଭରି ରହିଛି । ଏହି ଆକ୍ରମଣ ଫଳରେ ଦେଶ ଅଟକିବନି, କଡ଼ା ମୁକାବିଲା କରିବ । ଲୋକାମାନଙ୍କ ଭାବନାକୁ ମୁଁ ଭଲ ଭାବରେ ବୁଝି ପାରୁଛି । ଆମକୁ ଏକଜୁଟ ହୋଇ ଲଢେଇ କରିବାକୁ ପଡିବ । ଆତଙ୍କବାଦକୁ ସମାପ୍ତ କରିବାକୁ ପଡିବ । ଏଥିପାଇଁ ସମସ୍ତ ଦେଶ ଏକ ଦିଗରେ କାମ କରିବା ଉଚିତ୍ । ତେବେ ଯାଇ ଏହାକୁ ସମାପ୍ତ କରାଯାଇ ପାରିବ । ଭାରତର ସମସ୍ତ ନାଗରିକ ଏହି ଘଟଣାର ମୁହଁତୋଡ଼ ଜବାବ ଦେବେ ।
ମୋଦି କହିଛନ୍ତି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ପାକିସ୍ତାନ, ଭାରତରେ ଏପରି ଆକ୍ରମଣ କରି ଦେଶର ସ୍ଥିତିକୁ ଦୋହଲାଇବାକୁ ଚେଷ୍ଟା କରୁଛି । ପାକିସ୍ତାର ଏପରି ଷଡ଼ଯନ୍ତ୍ରରେ ସେ କେବେ ବି ସଫଳ ହୋଇପାରିବ ନାହିଁ । ଦେଶର ସମସ୍ତ ନାଗରିକ ଏପରି ସମସୟରେ ଏକାଠି ହେବେ । ଏହାବ୍ୟତୀତ ସମସ୍ତ ରାଜନୈତିକ ଦଳଗୁଡ଼ିକୁ କୌଣସି ବୟାନବାଜି ନକରି ଏକାଠି ସ୍ୱର ଉତ୍ତୋଳନ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ମୋଦି । ଭାରତର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସମର୍ଥନ ଜଣାଇଥିବା ସମସ୍ତ ଦେଶକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୋଦି ।
ସେପଟେ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ହୋଇଛି । ସରକାର କଡା ଆଭିମୁଖ୍ୟ ରଖିଥିବା ବୈଠକରେ ପରେ କହିଛନ୍ତି ଜେଟଲୀ । ଯେଉଁ ଯବାନ ମାନେ ସହିଦ ହୋଇଛନ୍ତି ସେମାନଙ୍କୁ ନେଇ ଦେଶ ଗର୍ବ କରୁଛି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବୁ । ବୈଠକରେ ହୋଇଥିବା ସମସ୍ତ ନିଷ୍ପତି ଗଣମାଧ୍ୟମରେ ସବୁ କଥା କହିହେବନି ବୋଲି ଜେଟଲୀ କହିଛନ୍ତି ।ଏହା ସହ ଭାରତ ସରକାର ପାକିସ୍ତାନକୁ ସର୍ବାଧିକ ଅନିଗୃହୀତ ରାଷ୍ଟ୍ର ବୋଲି ଦେଇଥିବା ମାନ୍ୟତା ଅନୁଗୃହିତ କରିନେଇଥିବା ଜେଟଲୀ କହିଛନ୍ତି ।