ଡୋକଲାମ ବିବାଦ ଉପରେ ଚୀନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସାରା ! କେବଳ କଥାବାର୍ତ୍ତା ମାଧ୍ୟମରେ ହିଁ କୌଣସି ବି ମାମଲାର ସମାଧାନ ସମ୍ଭବ

28

ଚୀନ ସହ ଚାଲୁଥିବା ଡୋକଲାମ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସାରାରେ ଚୀନକୁ ଟାର୍ଗେଟ କରିଛନ୍ତି । ସେ ଭାରତର ସବୁଠାରୁ ପ୍ରାଚୀନ ପଦ୍ଧତି ତର୍କଶାସ୍ତ୍ରର କଥା କହିଛନ୍ତି । ମୋଦି କହିଛନ୍ତି କୌଣସି ବି ମାମଲାର ସମାଧାନ ପାଇଁ ଏକମାତ୍ର ଉପାୟ ହେଲା କଥାବାର୍ତ୍ତା । ପୁରୁଣା ଭାରତୀୟ ପରମ୍ପରା ଅନୁସାରେ ସମ୍ବାଦ ଓ ତର୍କ ଉପରେ ବିଚାରର ଆଦାନ ପ୍ରଦାନକୁ ପ୍ରାଧାନ୍ୟ ଦିଆଯାଏ । ଏହି ଉପାୟରେ କୌଣସିି ବି ମାମଲାର ସମାଧାନ ସହଜ ହୋଇପାରିବ ।

ସମ୍ବାଦ- ଗ୍ଲୋବାଲ ଇନିସିଏଟିଭ ଅନ୍ କନଫ୍ଲିକ୍ଟ ଆଭଏଡ଼େନ୍ସ କନସିୟସନେସ୍ କାର୍ଯ୍ୟକ୍ରମକୁ ଭିଡ଼ିଓ ମେସେଜ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାମଲା ହେଲା ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ । ଏହି ମାମଲାକୁ କଥାବାର୍ତ୍ତା ଜରିଆରେ ଅତି ସହଜରେ ସମାଧାନ କରାଯାଇ ପାରିବ । ଭଗବାନ କୃଷ୍ଣ, ଭଗବାନ ରାମ, ଭଗବାନ ବୁଦ୍ଧ ଓ ଭକ୍ତ ପ୍ରହ୍ଲାଦଙ୍କ ଉଦାହରଣ ଦେଇ ମୋଦି କହିଛନ୍ତି ସମସ୍ତେ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିଥିଲେ ଓ କର୍ତ୍ତବ୍ୟକୁ ନିଜର ଧର୍ମ ମାନିଥିଲେ ।

ସୂଚନାଯୋଗ୍ୟ ଡୋକଲାମ ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କ ଆସ୍ତେ ଆସ୍ତେ ଜଟିଳ ପରିସ୍ଥିତି ଆଡ଼କୁ ଗତି କରୁଛି । ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଡୋକଲାମ ପ୍ରସଙ୍ଗରେ ପଡୋଶୀ ଦେଶ ଚୀନ ଉତ୍ତେଜିତ ବୟାନ ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି, ମାତ୍ର ଭାରତ ନିଜର କଡ଼ା ଆଭିମୁଖ୍ୟରେ ଅଟଳ ରହିଛି । ଭାରତକୁ ଚୀନ ଲଗାତାର ଭାବେ ନାଲି ଆଖି ଦେବା ସହ ଯୁଦ୍ଧ ପାଇଁ ଧମକ ଦେଉଛି । ଆଜି ଗ୍ଲୋବାଲ ଟାଇମ୍ସର ଖବର ଅନୁସାରେ ଯଦି ଡୋକଲାମରେ ଭାରତୀୟ ସେନା ପଛକୁ ନହଟେ ତେବେ ଯୁଦ୍ଧ ପାଇଁ ଚୀନ ସେନା ପ୍ରସ୍ତୁତ ରହିଛି ।

ସୀମାରେ ଅଧିକ ଦିନ ଏହି ବିବାଦକୁ ଲଗାଇ ରଖାଯାଇପାରବନି ଏବଂ ଆବଶ୍ୟକ ପଡିଲେ ଦୁଇ ସପ୍ତାହ ଭିତରେ ଏକ ମିଲିଟାରୀ ଅପରେସନ୍ କରିବ ବୋଲି ମଧ୍ୟ ଧମକ ଦେଇଛି ଚୀନ୍ । ଯଦି ଯୁଦ୍ଧ ହୁଏ ତେବେ ଯୁଦ୍ଧ ପରିଣତି କଣ ହେବ ତାହା ମଧ୍ୟ ସ୍ପଷ୍ଟ ଅନୁମେୟ ବୋଲି କହି ପରୋକ୍ଷରେ ଧମକ ଦେଇଛି ଗଣମାଧ୍ୟମ । ଏହା ସହିତ ଡୋକଲାମ ପରିସ୍ଥିତି ପାଇଁ ଚୀନ୍ ଗଣମାଧ୍ୟମ ଭାରତର ମୋଦି ସରକାରଙ୍କୁ ଦାୟୀ କରିଛି ।