‘ମନ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ କରୋନା ବାର୍ତ୍ତା: ଲକଡାଉନ ଦ୍ୱାରା ହେଉଥିବା ଅସୁବିଧା ପାଇଁ କ୍ଷମା ମାଗିଲେ ମୋଦି; କହିଲେ ନିୟମ ମାନିଲେ ବଞ୍ଚିବା, ସାମାଜିକ ଦୂରତା ହିଁ କରୋନାକୁ ରୋକିବ

ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଉଦ୍ୟମକୁ କଲେ ପ୍ରଶଂସା

2,067

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିବା ଅବସରରେ ପ୍ରଥମେ କ୍ଷମା ମାଗିଛନ୍ତି । କହିଛନ୍ତି, କିଛି ଲକଡାଉନ ଭଳି କଠିନ ନିଷ୍ପତି ଯୋଗୁଁ ଲୋକଙ୍କ ଦୈନଦିନ ଜୀବନରେ ବହୁ ଅସୁବିଧା ଦେଖାଦେଇଛି । ବିଶେଷକରି ଦେଶର ଗରିବ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣୁ କିଛି ଲୋକ ତାଙ୍କ ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । କିନ୍ତୁ କରୋନା ସହ ଲଢ଼େଇ ପାଇଁ ଏଭଳି କଠିନ ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ ଥିଲା । ଲକଡାଉନ ଲୋକଙ୍କ ଜୀବନକୁ ବଂଚାଇବା ପାଇଁ ଲାଗୁ କରାଯାଇଛି ।

 

ସେହିପରି ଲକଡାଉନକୁ ମାନୁ ନଥିବା ଲୋକଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିୟମ ଭାଙ୍ଗୁଥିବା ଲୋକ ନିଜ ଜୀବନ ସହ ଖେଳ ଖେଳୁଛନ୍ତି । ଲକଡାଉନକୁ ମାନି ନିଜେ ସୁରକ୍ଷିତ ରହିବା ସହ ପରିବାରକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି । କରୋନା ସହ ଲଢ଼ିବା ପାଇଁ ଦୃଢ଼ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ବିରୋଧରେ ଲଢ଼ୁଥିବା ଆମର ଆଗଧାଡିର ସେନାଙ୍କଠାରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି । ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କଠାରୁ ଆମ ଶିଖିବା ଆବଶ୍ୟକ ରହିଛି । କରୋନାକୁ ହରାଇବା ପାଇଁ ଆମକୁ ସେମାନଙ୍କଠାରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ।