ମନ କି ବାତ୍ କାର୍ଯ୍ୟକ୍ରମରେ ତିନି ବାହିନୀକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା : କହିଲେ ୨୦୧୮ବର୍ଷରେ ଜଳ, ସ୍ଥଳ ଓ ଆକାଶରେ ପରମାଣୁ ଶକ୍ତି ସମ୍ପର୍ଣ୍ଣ ହୋଇଛି ଦେଶ

89

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ଼ିଓରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ମନ କି ବାତର ୫୧ ତମ ସଂସ୍କରଣରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ତିନି ବାହିନୀର ଉଚ୍ଚପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତ୍ କାର୍ଯ୍ୟକ୍ରମର ମୋଦି କହିଛନ୍ତି, ୨୦୧୮ ବର୍ଷରେ ଜଳ, ସ୍ଥଳ ଓ ଆକାଶରେ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇଛି । ଆତ୍ମରକ୍ଷା କ୍ଷେତ୍ରରେ ମଧ୍ୟ ଦେଶ ଆତ୍ମନିର୍ଭରଶୀଳ ହୋଇଛି ।

କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ୨୦୧୮ ଶେଷ ହେବାକୁ ବସିଛି ଓ ୨୦୧୯ ଆସୁଛି । ଏଭଳି ସମୟରେ ଦେଶ ଓ ସମାଜଗଠନ ପାଇଁ ନିଜ ନିଜ ଯୋଗଦାନ ପାଇଁ ଆମେ ସଙ୍କଳ୍ପବଦ୍ଧ ହେବା ଉଚିତ । କାର୍ଯ୍ୟକ୍ରମରେ ନକାରାତ୍ମକ ଭିଡ଼ିଓକୁ ବର୍ଜନ କରି ସକାରାତ୍ମକ ଓ ପ୍ରେରଣାଦାୟୀ ଭିଡ଼ିଓକୁ ଭାଇରାଲ୍ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

୨୦୧୮ରେ ଆମ ଝିଅମାନେ ଆମକୁ ଗୌରବାନ୍ଵିତ କରିଛନ୍ତି । ପୁଣେର ୨୦ ବର୍ଷୀୟ ବେଦାଙ୍ଗୀ କୁଲକର୍ଣ୍ଣି ସାଇକେଲ୍‌ ଚଳାଇ ବିଶ୍ୱ ପରିକ୍ରମା କରି ଦ୍ରୁତଗାମୀ ଏସୀୟ ମହିଳା ହୋଇ ପାରିଛନ୍ତି । ଦୈନିକ ସେ ୩୦୦ କିଲୋମିଟର ହିସାବରେ ସେ ୧୫୯ ଦିନ ସାଇକେଲ ଚଳାଇଛନ୍ତି । ଗୋଟାଏ ଅଭିଯାନରେ ଭାଗନେବାକୁ ୩ ଲକ୍ଷ ଲୋକ ଏକତ୍ର ହୋଇଥିବାରୁ ‘ସ୍ୱଚ୍ଛ ଭାରତ’ ଅଭିଯାନ ସଫଳ ହୋଇଛି ।

ସାମାଜିକ ଔଦ୍ୟୋଗିକତା ସମେତ ଅନ୍ୟାନ୍ୟ ସକାରତ୍ମକ ଖବର ଲେଖୁଥିବା ବିଭିନ୍ନ ୱେବସାଇଟ୍ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । betterstory.com, yourstory.com, sanskritbharati.in and positiveindian.com ଆଦି ୱେବସାଇଟ୍ ଗୁଡ଼ିକର ନାମ ଉଲ୍ଲେଖ କରି, ଲୋକମାନଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ଆରମ୍ଭ କରାଇବାକୁ ଏ ଭଳି ସକାରାତ୍ମକ ଖବର ସେୟାର କରିବାକୁ ସେ ଲୋକମାନଙ୍କୁ କହିଛନ୍ତି ।

ସେହିପରି ସ୍ୱାସ୍ଥ୍ୟ, ବିଦ୍ୟୁତଯୋଗାଣ ଓ ସ୍ୱଚ୍ଛତା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ହାସଲ୍ କରିଥିବା ମୋଦି କହିଛନ୍ତି । ଆଗାମୀ ଜାନୁଆରୀ ମାସରେ ପଡୁଥିବା ମକର, ପୋଙ୍ଗଲ, କୁମ୍ଭମେଳା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ ।