କେନ୍ଦ୍ରାପଡ଼ାରେ ପୁଣି ଡ଼ବଲ ଇଂଜିନ୍ କଥା ଦୋହରାଇଲେ ମୋଦି । କହିଲେ, ଓଡ଼ିଶାର ବିକାଶ ପାଇଁ ସରକାର ବଦଳିବା ଦରକାର ।

178

କନକ ବ୍ୟୁରୋ: ଓଡ଼ିଶାରେ ମୋଦିଙ୍କ ଶେଷ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା କୁରୁକ୍ଷେତ୍ରରୁ ମାରାଥନ ପ୍ରଚାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜନ ସମାବେଶରେ ଭୋଟ୍ ଭିକ୍ଷା କଲେ ମୋଦି । କେନ୍ଦ୍ରାପଡ଼ା ବାରୁଅ ଠାରେ ହୋଇଥିବା ସମାବେଶରେ ଯୋଗଦେଇ ମୋଦି ପୁଣି ଥରେ ଡ଼ବଲ ଇଞ୍ଜିନ୍ କଥା ଦୋହରାଇଛନ୍ତି । କହିଛନ୍ତି କି, ଓଡ଼ିଶାରେ ବିକାଶ ଯେଉଁ ପରିମାଣରେ ହେବାରଥିଲା ହୋଇନାହିଁ, କିନ୍ତୁ ବିଗତ ୫ ବର୍ଷରେ ଦେଶରେ ଯେଉଁଭଳି ବିଜେପି ସରକାର ଶାସନରେ ବିକାଶ ହୋଇଛି ତେଣୁ ଦିଲ୍ଲୀରେ ପୁଣି ବିଜେପି ସରକାର ଇଂଜିନ୍ ଆଉ ଭୁବନେଶ୍ୱରରେ ମଧ୍ୟ ବିକାଶର ଡବଲ ଇଂଜିନ୍ ଲଗାଇବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଛନ୍ତି ମୋଦି ।

ଅନ୍ୟପଟେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ସହ ଏହା ଅଧିନରେ ଥିବା ୭ଟି ବିଧାନସଭା କ୍ଷେତ୍ର ପାଇଁ ‘ପଦ୍ମ ଫୁଲ’ ସହ ବିକାଶର ଡ଼ଲ ଇଂଜିନ୍ ଲଗାଇବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଖଣିଜ ସମ୍ପଦ ଭରା ରାଜ୍ୟ ବିଜେପି କ୍ଷମତାକୁ ଆସିଲା, ଖଣିଜ ସମ୍ପଦ ଭରା ଓଡ଼ିଶାକୁ ବିକାଶର କେନ୍ଦ୍ର ବିନ୍ଦୁ କରିବୁ ବୋଲି ନିର୍ବାଚନୀ ଥୋପ ଛାଡ଼ିଛନ୍ତି ମୋଦି । ସେହିଭଳି ସ୍ୱାସ୍ଥ୍ୟ, ସଡ଼କ, ନିଯୁକ୍ତି ଓ ଜନହିତକାରୀ ଯୋଜନା ଓଡ଼ିଶା ଅପେକ୍ଷାରେ ରହିଛି ବୋଲି ମାଳ ମାଳ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଆଉ ଏହି ପ୍ରତିଶ୍ରୁତି ବଦଳରେ ଲୋକଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି ପ୍ରତିଥର ଭଳି କେନ୍ଦ୍ରାପଡ଼ାରେ ମଧ୍ୟ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । କହିଛନ୍ତି, ଏତେଦିନ ଧରି ଓଡ଼ିଶାରେ ବିଜେଡି ସରକାର ରହିଛି କିନ୍ତୁ ବିକାଶ ହୋଇନାହିଁ । ଚଳିତ ଥର କିନ୍ତୁ ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଭୋଟ୍ ଦେଇ ଡ଼ବଲ୍ ଇଞ୍ଜନ୍ ଲଗାଇବେ ବୋଲି ମନବଳାଇଛନ୍ତି । ଯାହାକି ବିଜେଡି ସରକାର ବିଦା ହେବାର ସଙ୍କେତ ଦେଉଛି ବୋଲି କହି ବିଜେଡିକୁ ସମାଲୋଚନା କରିଛନ୍ତି ମୋଦି । ତେବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ଶେଷ ହେବାକୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆଜି କେନ୍ଦ୍ରାପଡ଼ା କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ଜୋରଦାର କରିଛନ୍ତି ।