ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି । ୪,୫୦୦ କୋଟିର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ ।

95

କନକ ବ୍ୟୁରୋ: ନବ ବର୍ଷର ଶୁଭେଚ୍ଛା ସହ ବାରିପଦାଠାରେ ସେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ଏଲପିଜି ପାଇପଲାଇନ ନିର୍ମାଣ କରାଯାଉଛି । ଏହି ଅବସରରେ ମୋଦି କହିଛନ୍ତି ଯେ, ୨୦୧୯ ନୂତନ ବର୍ଷରେ ଏକ ନୂଆ ଓଡ଼ିଶା ଗଠନ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ । ତେଣୁ ପାଖାପାଖି ୪ହଜାର ୫ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି । ଯାହାଦ୍ୱାରା ଓଡ଼ିଶାବାସୀଙ୍କ ଉନ୍ନତି ମାର୍ଗରେ ସହାୟକ ହେବ । ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଗ୍ୟାସ୍ ପାଇପଲାଇନ୍ କାର୍ଯ୍ୟକାରୀ ହେଲେ ୮ଟି ଜିଲ୍ଲାର ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ୟ୍ୟକୁ ଶୁଭାରମ୍ଭ କରିଛନ୍ତି ମୋଦି । ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ ମଧ୍ୟ କରିଛନ୍ତି ମୋଦି ।

ଏହି ୪ହଜାର ୫ଶହ କୋଟିର ପ୍ରକଳ୍ପ ଦ୍ୱାରା ବିଶେଷ କରି ମଧ୍ୟମ ଶ୍ରେଣୀ ବର୍ଗର ଲୋକମାନେ ଉପକୃତ ହେବା ସହ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ହେବ ବୋଲି ମୋଦି କହିଛନ୍ତି । ସବକା ସାଥ୍ ଓ ସବକା ବିକାଶ ହେଉଛି କେନ୍ଦ୍ର ସରକାରଙ୍କ ସଂସ୍କାର । ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରର ଶୁଭାରମ୍ଭ କରି ମୋତେ ବହୁତ ଆନନ୍ଦ ଲାଗୁଛି । ଏହା ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରୁଛି ବୋଲି କହି ଶେଷରେ ଜୟ ଜଗନ୍ନାଥ କହି ଅଭିଭାଷଣ ଶେଷ କରିଥିଲେ ମୋଦି ।