ଫୋନରେ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି : ଅଧା ଘଣ୍ଟା ଧରି ହେଲା ଆଲୋଚନା, ପରୋକ୍ଷରେ ପାକିସ୍ତାନକୁ ନିଶାନା

329

କନକ ବ୍ୟୁରୋ : ଜମ୍ମୁକଶ୍ମୀରକୁ ନେଇ ଭାରତ ପାକିସ୍ତାନ ଟେନସନ ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ମୋଦି । ଜମ୍ମୁକଶ୍ମୀରରୁ ଧାରା ୩୭୦ ହଟାଇବା ପରେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଦୁଇ ନେତା ଫୋନରେ ପ୍ରାୟ ଅଧ ଘଂଟା କଥା ହୋଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ କ୍ଷେତ୍ରିୟ ଶାନ୍ତି ସହ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଫୋନରେ ପାକିସ୍ତାନ ସହ ସଂପର୍କକୁ ନେଇ ନାମ ନନେଇ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଟ୍ରମ୍ପଙ୍କୁ ଫୋନରେ ମୋଦି କହିଥିଲେ, କିଛି ନେତାଙ୍କ ଭାରତ ବିରୋଧରେ ହିଂସା ସୃଷ୍ଟିକାରୀ ବୟାନ ଶାନ୍ତି ପ୍ରକ୍ରିୟାରେ ବଡ ବାଧକ ।

ମୋଦିଙ୍କ ଇସାରା ଇମ୍ରାନଙ୍କ ଆଡକୁ ଥିଲା, ଯିଏ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତ ବିରୋଧରେ ବିଷୋଦଗାର କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଜୋର ଦେଇ କହିଥିଲେ ଆଂଚଳିକ ଶାନ୍ତି ପାଇଁ ଆତଙ୍କ ଓ ହିଂସାମୁକ୍ତ ପରିବେଶ ସୃଷ୍ଟି କରିବା ଜରୁରୀ । ଆଉ ଏହା ସୀମାପାର ଆତଙ୍କବାଦ ଉପରେ ଲଗାମ ନଲଗାଇଲେ ସମ୍ଭବ ନୁହେଁ । ଯଦି କୌଣସି ରାଷ୍ଟ୍ର ଶାନ୍ତିର ଏହି ରାସ୍ତାରେ ଚାଲିବ, ତେବେ ଭାରତ ତାକୁ ସହଯୋଗ କରିବାକୁ ତତ୍ପର ବୋଲି କହିଛନ୍ତି ମୋଦି । ଏହି ଶାନ୍ତି ରାସ୍ତା ଦେଇ ହିଁ ଗରିବି, ନିରକ୍ଷରତା ଓ ରୋଗ ସହ ମୁକାବିଲା କରାଯାଇପାରିବ ।

ଡୋନାଲ୍ଡ ଟ୍ରମ୍ପଙ୍କ ଆଲୋଚନା ବେଳେ ଆଫଗାନିସ୍ତାନ ସ୍ୱାଧିନତାର ଶହେବର୍ଷ ପୂର୍ତି କଥା ମନେ ପକାଇଥିଲେ ମୋଦି । ଆଉ କହିଥିଲେ, ସଂଗଠିତ, ସୁରକ୍ଷିତ ଗଣତାନ୍ତ୍ରିକ, ସ୍ୱତନ୍ତ୍ର ଆଫଗାନିସ୍ତାନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏହାଛଡା ପ୍ରେସିଡେଂଟ ଟ୍ରମ୍ପଙ୍କ ସହ ଭାରତ-ଆମେରିକା ବାଣିଜ୍ୟ କାରବାର ନେଇ ମଧ୍ୟ ଆଲୋଚନା କରିଥିଲେ ଭାରତର ପ୍ରଧାନମନ୍ତ୍ରୀ । ଜି-୨୦ ଅବସରରେ ଓସାକାରେ ହୋଇଥିବା ଦ୍ୱିପାକ୍ଷିକ ବାର୍ତା କଥାକୁ ମନେପକେଇ ଦେଇ ମୋଦି ଆଶାବ୍ୟକ୍ତ କରିଥିଲେ, ଶୀଘ୍ର ଭାରତର ବାଣିଜ୍ୟ ମନ୍ତ୍ରୀ ଆମେରିକୀୟ ପ୍ରତିପକ୍ଷଙ୍କୁ ଭେଟିବେ । ଜମ୍ମୁକଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଯାଇଥିଲା ପାକିସ୍ତାନ । ସେହିପରି ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ କହି ଟ୍ରମ୍ପ ନୂଆ ବିବାଦ ସୃଷ୍ଟି କରିଥିଲେ । ତେଣୁ ଏସବୁ ଦୃଷ୍ଟିରୁ ଗତକାଲି ଟ୍ରମ୍ପ ଓ ମୋଦିଙ୍କ ଫୋନରେ ବାର୍ତାଳାପ କୁଟନୈତିକସ୍ତରରେ ଭାରତକୁ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି ।