ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ: କରୋନା ମୁକାବିଲାର ପରବର୍ତ୍ତୀ ଦିଗ ସଂପର୍କରେ କରିପାରନ୍ତି ଚର୍ଚ୍ଚା; ନଜର, କଣ ରହିବ ଓଡିଶାର ଆଭିମୁଖ୍ୟ

ଏପଟେ ତାଲବନ୍ଦ ବୃଦ୍ଧି ସପକ୍ଷରେ କିଛି ରାଜ୍ୟ: ଦିଲ୍ଲୀରେ ଲକଡାଉନ ବଢାଇବା ନେଇ କେଜ୍ରିୱାଲଙ୍କ ପ୍ରସ୍ତାବ

2,798

କନକ ବ୍ୟୁରୋ: ମେ’ ୩ ତାରିଖ ତାଲା ବନ୍ଦ ପରେ କ’ଣ ହେବ? ତାଲା ବନ୍ଦର ଅବଧି ବଢ଼ିବ ନା’ ତାଲା ବନ୍ଦ ଉଠିବ? ଏହାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆ ଆଲୋଚନା କରିବେ । ମିଳିଥିବା ସୂଚନା ଅନୁସାରେ ଏହି ଆଲୋଚନାରେ ମୁଖ୍ୟତଃ ୩ରୁ ୪ଟି ପ୍ରସଙ୍ଗ ଉପରେ ବିଶେଷ ଭାବରେ ଚର୍ଚ୍ଚା ହେବାକୁ ଅଛି । ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣର ସ୍ଥିତି କଣ ରହିଛି? ନୂଆ କନ୍ଟେନ୍ମେଂଟ୍ ଜୋନ୍ ରୋକିବାରେ ରାଜ୍ୟଗୁଡ଼ିକ କ’ଣ ପଦକ୍ଷେପ ନେଇଛନ୍ତି?

୨୦ ଏପ୍ରିଲ ପରେ ଜାରି ହୋଇଥିବା କେନ୍ଦ୍ରୀୟ ଗାଇଡ୍ଲାଇନ୍କୁ କେଉଁ ଭଳି ଭାବେ ପାଳନ କରାଯାଇଛି? ଏବଂ ମେ’ ୩ ତାରିଖ ପରେ ତାଲା ବନ୍ଦର ପରବର୍ତୀ ଦିଗ କ’ଣ ହେବ ସେ ସଂପର୍କରେ ଆଲୋଚନା କରିବାର ସଂଭାବନା ରହିଛି । ତେବେ ପୂର୍ବରୁ ହୋଇଥିବା ତାଲା ବନ୍ଦ ଘୋଷଣା ପରେ ଏକାଧିକ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍କୁ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହା ଫଳରେ ଏପ୍ରିଲ ୧୪ରୁ ମେ’ ୩ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ ଘୋଷଣା ହୋଇଥିଲା । ତେବେ ଆଜି ଏଦିଗରେ କ’ଣ ନିଷ୍ପତି ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ଦିଲ୍ଲୀ ସମେତ କିଛି ରାଜ୍ୟ ତାଲା ବନ୍ଦକୁ ଆହୁରୀ ବଢ଼ାଇବାକୁ ପ୍ରସ୍ତାବ ଦେଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଆଜିର ବୈଠକରେ ଚୁଡ଼ାନ୍ତ ନିଷ୍ପତି ହେବାର ସଂଭାବନା ରହିଛି ।

ଭାରତରେ କରୋନ ସ୍ଥିତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହାରି ଭିତରେ ୪ଥର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଜିର ବୈଠକ ଏଥିପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହୁଛି, କାରଣ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ର ଭବିଷ୍ୟତ ସଂପର୍କରେ ଏଥିରେ ଆଲୋଚନା ହେବାର ସଂଭାବନା ରହିଛି । ଏହା ପୂର୍ବରୁ ଏପ୍ରିଲ ୧୧ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଆଲୋଚନାରେ ଏକାଧିକ ମୁଖ୍ୟମନ୍ତ୍ରୀ ତାଲା ବନ୍ଦ ଅବଧି ବଢ଼ାଇବା ସଂପର୍କରେ ପ୍ରସ୍ତାବ ରଖିଥିଲେ । ଯାହା ଫଳରେ ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଏପ୍ରିଲ ୧୪ରୁ ମେ’ ୩ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ ଘୋଷଣା କରିଥିଲେ ।