ୟୁଏଇରେ ମୋଦି ମୋଦି ! ପାଲେଷ୍ଟାଇନ ପରେ ୟୁନାଇଟେଡ ଆରବ ଏମିରେଟ୍ସରେ ପ୍ରଧାନମନ୍ତ୍ରୀ, ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର କରିବେ ଶିଳାନ୍ୟାସ

34

କନକ ବ୍ୟୁରୋ: ତିନିଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ୟୁନାଇଟେଡ ଆରବ ଏମିରେଟ୍ସରେ ପହଂଚିଛନ୍ତି । ଆଜି ସେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ପ୍ରାୟ ୫୫ହଜାର ବର୍ଗ ମିଟର ପରିମିତ ଅଂଚଳରେ ପ୍ରତିଷ୍ଠା ହେବାକୁ ଥିବା ଏକ ହିନ୍ଦୁ ମନ୍ଦିରର ମୋଦି ଶିଳାନ୍ୟାସ କରିବେ ବୋଲି ସୂଚନା ଦେଇଛନ୍ତି ୟୁଏଇରେ ଭାରତର ରାଷ୍ଟ୍ରଦୂତ ନବଦୀପ ସିଂ ସୁରୀ । ଭାରତୀୟ କାରିଗରମାନେ ଏହି ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟକୁ ସଂପାଦନ କରିଛନ୍ତି । ୨୦୨୦ସୁଦ୍ଧା ମନ୍ଦିର ନିର୍ମାଣ ଶେଷହେବ ଓ ସବୁ ଧର୍ମାବଲମ୍ବୀଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲୋ ରହିବ । ଏଥିସହ ଦୁବାଇ ଅପେରା ହାଉସରେ ଭାରତୀୟ ମାନଙ୍କ ସହ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦି । ୟୁଏଇରେ ଥିବା ପ୍ରବାସୀ ଭାରତୀୟଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି । ଭାରତରେ ନିବେଶ ହୃଦ୍ଧି ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେବେ ମୋଦି ।

ମିଳିଥିବା ସୂଚନା ମୁତାବକ,ମଧ୍ୟପୂର୍ବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଦି ପାଲେଷ୍ଟାଇନ ରାଜଧାନୀ ରମାଲ୍ଲାରେ ପହଞ୍ଚିଛନ୍ତି । ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ପାଲେଷ୍ଟାଇନ ଗସ୍ତ । ତେବେ ଆଉ ଏକ ଦୃଷ୍ଟିକୋଣରୁ ଏହି ଗସ୍ତଟି ଐତିହାସିକ ବୋଲି କୁହାଯାଉଛି । ମୋଦିଙ୍କର ହେଲିକାପ୍ଟରଟି ଜୋର୍ଡାନ ସରକାରଙ୍କ ଦ୍ୱାରା ଯୋଗାଇଦିଆଯାଇଥିଲା ଓ ଏହି ହେଲିକାପ୍ଟରକୁ ଇସ୍ରାଏଲର ବାୟୁସେନା ସୁରକ୍ଷା ଦେଇଥିଲେ । ମଧ୍ୟପୂର୍ବ ବା ଉପସାଗରୀୟ ଅଂଚଳରେ ଇସ୍ରାଏଲ ସହ ପାଲେଷ୍ଟାଇନ ଓ ଜୋର୍ଡାନର ସଂପର୍କ କିପରି ତାହା ବେଶ ଜଣାଶୁଣା । କିନ୍ତୁ ଭାରତ ସହ ଏସବୁ ରାଷ୍ଟ୍ର କିପରି ବନ୍ଧୁତ୍ୱ ପୂର୍ଣ୍ଣ ସଂପର୍କ ରଖିଛନ୍ତି ଓ ଭାରତକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଏହି ଘଟଣାରୁ ବେଶ ପ୍ରମାଣିତ ହୋଇଯାଇଛି । ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ମୋଦି ପୁଣି ଥରେ ନିଜର ପ୍ରଭାବକୁ ପ୍ରମାଣିତ କରିଛନ୍ତି । ମୋଦି ହିଁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ମଧ୍ୟସ୍ଥତା କରି ଶାନ୍ତି ପ୍ରତିଷ୍ଠା କରିପାରିବେ ବୋଲି ଗତକାଲି ନୂଆଦିଲ୍ଲୀରେ ଅବସ୍ଥାପିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରସ୍ତାବ ଦେଇଥିଲେ ।

ମୋଦିଙ୍କ ରମାଲ୍ଲା ଗସ୍ତ ଅବସରରେ ତାଙ୍କୁ ସେଠାକାର ସର୍ବୋଚ୍ଚ ବେସାମରିକ ସମ୍ମାନ ଗ୍ରାଣ୍ଡ କଲାର ଅଫ ପାଲେଷ୍ଟାଇନ ପ୍ରଦାନ କରାଯାଇଛି । ଏହି ଅବସରରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ଦାସଙ୍କ ସହ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ମୋଦି କହିଛନ୍ତି ଯେ, ପଶ୍ଚିମ ଏସିଆରେ ଶୀଘ୍ର ଶାନ୍ତି ଫେରିବା ଭାରତ ଆଶା କରୁଛି । ପାଲେଷ୍ଟାଇନର ସ୍ୱାର୍ଥ ରକ୍ଷା ଦିଗରେ ଭାରତ ପ୍ରତିଶୃତିବଦ୍ଧ ବୋଲି ମୋଦି କହିଛନ୍ତି । ଏହି ଅବସରରେ ଅବ୍ଦାସ କହିଛନ୍ତି ଯେ, ଇସ୍ରାଏଲ ସହ ଶାନ୍ତି ପ୍ରତିଷ୍ଠା ଦିଗରେ ଆମେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁଛୁ । ରମାଲ୍ଲାରେ ପହଞ୍ଚିବା ପରେ ମୋଦି ପାଲେଷ୍ଟାଇନର ପୂର୍ବତନ ରାଷ୍ଟ୍ରପତି ୟାସାର ଆରାଫତଙ୍କ ସମାଧୀରେ ଯାଇ ଶ୍ରଦ୍ଧାଂଜଳି ଦେଇଥିଲେ ।