୧୧୦୦ କୋଟି ଖର୍ଚ୍ଚରେ ମୋଦିଙ୍କ ବିମାନର ନବକଳେବର ! ଧ୍ୱଂସ କରିପାରିବନି ମିସାଇଲ

36

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ମୋଦିଙ୍କ ବିଦେଶ ଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥାଏ । ଏବେ ପୁଣିଥରେ ମୋଦିଙ୍କ ବିମାନକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ନୂଆ ପଦକ୍ଷେପ ନିଆଯାଉଛି । ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଅପଗ୍ରେଡ଼ କରାଯିବ । ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିମାନ ଆହୁରି ବିଳାସପୂର୍ଣ୍ଣ ହୋଇଯିବ । ଆଉ ଏଥିପାଇଁ ମୋଟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏୟାର ଇଣ୍ଡିଆ ସିଏଟଲରୁ ଆଣିଥିବା ଦୁଇଟି ନୂଆ ବୋଇଙ୍ଗ ୭୭୭ ବିମାନକୁ ପୁଣିଥରେ ଆମେରିକାକୁ ଫେରାଇବା ସହ ଏହାକୁ ସମ୍ପୁର୍ଣ୍ଣ ଭାବେ ଅପଗ୍ରେଡ଼ କରି ଭିଭିଆଇପି ବିମାନ ଭଳି କରାଯିବ ।

ବିମାନକୁ ଅପଗ୍ରେଡ଼ କରିବା ସହ ଏଥିରେ ମିସାଇଲ ଆକ୍ରମଣରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯିବ । ଏପରିକି ମିସାଇଲର ଗତି ବଦଳାଇବା ପାଇଁ ମଧ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ । ପ୍ରଧାନମନ୍ତ୍ରୀଙ୍କ ପାଖରେ ଏବେ ଥିବା ବୋଇଙ୍ଗ ୭୪୭ ବିମାନରେ ଏଭଳି ଅତ୍ୟାଧୁନିକ ସୁବିଧା ନାହିଁ । ଅପଗ୍ରେଡ଼ ହେବାକୁ ଥିବା ଏହି ବିମାନ ପାଇଁ ଏୟାର ଇଣ୍ଡିଆ ୧୧୦୦ କୋଟି ଟଙ୍କା ଖର୍ଚ୍ଚ କରିବ । ଏପରିକି ଏହି ବିମାନ ପାଇଁ ବାର୍ଷିକ ୧୦୦ କୋଟି ଟଙ୍କା କ୍ଷତି ସହିବ କମ୍ପାନି ।

ସବୁଠୁ ବଡ଼ କଥା ହେଲା, ଅପଗ୍ରେଡ଼ ପରେ ବିମାନ ଭାରତକୁ ଆସିଲେ ଏହାର ସଞ୍ଚାଳନ କିଏ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏୟାର ଇଣ୍ଡିଆର ଭିଭିଆଇପି ସ୍କ୍ୱାର୍ଡ଼ନ ଯେଉଁମାନେ ବିଜନେସ ଜେଟ ଓ ଏମ୍ବ୍ରେୟର ଚଳାଇଥାନ୍ତି ସେମାନଙ୍କ ପାଖରେ ମଧ୍ୟ ବିମାନ ଚଳାଇବା ପାଇଁ ଦକ୍ଷ ପାଇଲଟ ନାହାନ୍ତି । ତେଣୁ ବୋଇଙ୍ଗ ୭୭୭ ବିମାନ କିଏ ଚଳାଇବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ।
ଏବେ ମୋଦି ଯାତାୟତ କରୁଥିବା ବିମାନରେ ମଧ୍ୟ ଅନେକ ଅତ୍ୟାଧୁନିକ ସୁବିଧା ରହିଛି । କନଫରେନ୍ସ ହଲ, ମିଟିଂ ପାଇଁ ବଡ଼ ହଲ, ବିଶ୍ରାମ ନେବା ପାଇଁ ସ୍ଥାନ, ଅଫିସ ଭଳି ସୁବିଧା ରହିଛି । ଏହାଛଡ଼ା ବିମାନରୁ ଯେ କୌଣସି ଦେଶର ରାଷ୍ଟ୍ରମୁଖ୍ୟ ଓ ନିଜ କାର୍ଯ୍ୟାଳୟକୁ ସର୍ମ୍ପକ କରି ପାରିବା ଭଳି ସୁବିଧା ରହିଛି ।