ପିଏମ୍ ମୋଦି ବାୟୋପିକ୍ କୁ ନେଇ ମତ ରଖିଲେ ନିର୍ବାଚନ କମିଶନ୍ ! ମେ ୧୯ ପୂର୍ବରୁ ରିଲିଜ୍ ହୋଇପାରିବ ନାହିଁ ଫିଲ୍ମ ।

166

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍ ରିଲିଜ୍କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଏବେ ଫିଲ୍ମଟି ମେ ୧୯ ପୂର୍ବରୁ ରିଲିଜ୍ ହୋଇ ପାରିବ ନାହିଁ ବୋଲି ଜଣା ପଡ଼ିଛି । ଏ କଥା ସ୍ପଷ୍ଟ ଭାଷାରେ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ନିର୍ବାଚନ କମିସନ । ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିପକ୍ଷ ଦଳ ଅଭିଯୋଗ ଆଣିବା ପରେ ନିର୍ବାଚନ କମିସନ ଏହାର ରିଲିଜ୍ ଉପରେ ରୋକ୍ ଲଗାଇଥିଲେ । ଯାହା ପରେ ଫିଲ୍ମର ନିର୍ମାତା ସୁପ୍ରିମ୍ କୋର୍ଟର ଦ୍ୱାରସ୍ତ ହୋଇ ରିଲିଜ୍ର ଅନୁମତି ମାଗିଥିଲେ । ସୁପ୍ରିମ କୋର୍ଟ ପ୍ରଥମେ ଫିଲ୍ମ ଦେଖିବା ପରେ ନିର୍ବାଚନ କମିସନକୁ ପ୍ରଥମେ ଫିଲ୍ମ ଦେଖି ପରେ ଆଉ ଥରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦେଇଥିଲେ ।

ସୁପ୍ରିମ୍ କୋର୍ଟର ଆଦେଶ ପରେ ଫିଲ୍ମ ଦେଖି ନିଜର ନିଷ୍ପତ୍ତି ଏକ ବନ୍ଦ ଲଫାଫାରେ ଜଣାଇଥିଲେ ନିର୍ବାଚନ କମିସନ । ଏପ୍ରିଲ ୨୨ରେ ନିର୍ବାଚନ କମିସନ ନିଜର ନିଷ୍ପତ୍ତି ଶୁଣାଇଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଫିଲ୍ମ ଦେଖିବା ପରେ ମଧ୍ୟ ନିର୍ବାଚନ କମିସନ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି । ମେ ୧୯ପୂର୍ବରୁ ଫିଲ୍ମକୁ ରିଲିଜ୍ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାଷାରେ ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ନିର୍ବାଚନ କମିସନ । ନିର୍ବାଚନ କମିସନଙ୍କ କହିବା ଅନୁଯାୟୀ, ଫିଲ୍ମରେ ଥିବା କିଛି ଦୃଶ୍ୟ ବିପକ୍ଷ ଦଳ ବିରୋଧରେ ରହିଛି । ଯଦି ଏହାକୁ ଏବେ ରିଲିଜ୍ କରାଯାଏ, ତେବେ ନିର୍ବାଚନୀ ମାହୋଲରେ ଅସନ୍ତୋଷ ଦେଖାଯିବା ସହ ପରିସ୍ଥିତି ଗମ୍ଭୀର ହେବାର ମଧ୍ୟ ଆଶଙ୍କା ରହିଛି । ଯାହା ପାଇଁ ଫିଲ୍ମକୁ ଏବେ ରିଲିଜ୍ କରାଯାଇ ପାରିବ ନାହିଁ ।