କଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ବାଜପେୟୀଙ୍କ ଅସ୍ଥି : ସମସ୍ତ ରାଜ୍ୟ ବିଜେପି ସଭାପତିଙ୍କୁ ଅସ୍ଥିକଳସ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

49

କନକ ବ୍ୟୁରୋ : କଶ୍ମୀରରୁ କନ୍ୟାକୁମାରୀ ସବୁଠି ବିସର୍ଜନ କରାଯିବ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅସ୍ଥି । ଆଜି ସମସ୍ତ ରାଜ୍ୟ ବିଜେପି ସଭାପତିଙ୍କୁ ଅସ୍ଥି କଳସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶାରୁ ବସନ୍ତ ପଣ୍ଡା ଅସ୍ଥି କଳସ ଗ୍ରହଣ କରିଛନ୍ତି । ସେ ଆଜି ଅସ୍ଥି କଳସ ଆଣି ଭୁବନେଶ୍ୱରରେ ପହଂଚିବେ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ନେଇ ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଏହାପରେ ଅସ୍ଥି କଳସକୁ ରାଜ୍ୟ ବିଜେପି ପାର୍ଟି ଅଫିସରେ ରଖାଯିବ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଆସନ୍ତାକାଲି ସକାଳ ୯ଟା୩୦ରେ ଏକ ଶୋଭାଯାତ୍ରାରେ ଅସ୍ଥିକଳସ ମହୋଦଧୀ ଅଭିମୁଖେ ଯିବ । ସେଠାରେ ଅସ୍ଥି ବିଜର୍ଜନ କରାଯିବ । ଏହି ଶୋଭାଯାତ୍ରାରେ ଓଡିଶାର ୨ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେପି ନେତା ରହିବେ । ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ସାର୍ବଜନିନ ସର୍ବଦଳୀୟ ଶୋକ ସଭା । ଯେଉଁଥିରେ ସବୁଦଳର ନେତା ତଥା ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ତି ପୂର୍ବରୁ ଉତ୍ତରପ୍ରଦେଶର ଗଙ୍ଗାରେ ପକାଯାଇଥିବା ବେଳେ ଅନେକ ରାଜ୍ୟର ନଦୀରେ ମଧ୍ୟ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଗତ ଅଗଷ୍ଟ ୧୬ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁତ୍ୟୁ ପରେ ସେହିଦିନ ରାତିରେ ପ୍ରଥମେ ବାଜପେୟୀଙ୍କ ମର ଶରୀରକୁ ତାଙ୍କ ବାସଭବନ ଓ ପରେ ପାର୍ଟି ଅଫିସକୁ ନିଆଯାଇଥିଲା । ସେଠାରେ ଦଳଗତ ନିର୍ବିଶେଷରେ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ସେହି ସମୟରେ ବାଜପେୟୀଙ୍କ ଅସ୍ତି ଦେଶର ଅନେକ ନଦୀରେ ପଡିବ ବୋଲି ଘୋଷଣା ହୋଇଥିଲା । ତେଣୁ ଓଡିଶାରେ ମଧ୍ୟ ତାଙ୍କର ଅସ୍ଥି ବିସର୍ଜନ କରିବା ପାଇଁ ପୁରୀ ନିଆଯିବ ଓ ଏହି କାର୍ୟ୍ୟକ୍ରମରେ ବିଜେପିର ବରିଷ୍ଠ ନେତାଙ୍କ ସହ ଶତାଧିକ ଜନସାଧାରଣ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।