ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ : ମିଳିମିଶି କରୋନା ସହ ଲଢ଼ିବାକୁ ଆହ୍ୱାନ ଦେଲେ, ଲକଡାଉନକୁ ଗୁରୁତର ସହ ପାଳିବାକୁ ଅପିଲ୍

1,511

କନକ ବ୍ୟୁରୋ : କରୋନା ସଙ୍କଟ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ରାଜ୍ୟଗୁଡିକ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ଏହାଛଡା କେନ୍ଦ୍ର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେବା ସହ କହିଛନ୍ତି, କେନ୍ଦ୍ର ସବୁ ରାଜ୍ୟଙ୍କ ସହ ଠିଆ ହୋଇଛି । କେବଳ ଏତିକି ନୁହେଁ ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଆଲୋଚନାରେ ସାରା ଦେଶରେ ଜାରି ରହିଥିବା ତାଲାବନ୍ଦ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଜନତା ତାଲାବନ୍ଦକୁ ଅଣଦେଖା କରି ବାହାରେ ବୁଲାବୁଲି କରୁଛନ୍ତି । ଏପରି କଲେ ଗୋଷ୍ଠୀ ସଙ୍କ୍ରମଣର ଆଶଙ୍କା ଅଧିକ ରହିଛି । ସବୁ ରାଜ୍ୟରେ କିପରି ଲକଡାଉନକୁ ସଠିକ ଭାବରେ ପାଳନ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଶ୍ରମିକମାନଙ୍କୁ କିପରି ସମୂହ ପଳାୟନରୁ ରୋକାଯିବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯାଉ ।

ରାଜ୍ୟ ଓ କେନ୍ଦ୍ର ସରକାର ମିଶି କରୋନାକୁ ହରାଇବେ ବୋଲି ମୋଦି କହିଥିବା ସୂଚନା ମିଳିଛି । ଏଥିସହ ଲକଡାଉନ ସମୟରେ ଲୋକଙ୍କ ପାଖରେ କେମିତି ଅତ୍ୟାବଶ୍ୟକ ସାମଗ୍ରୀ ପହଁଚିପାରିବ ସେ ନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନିଜାମୁଦ୍ଦିନ ସମାବେଶ ପରେ ଭାରତରେ ମଧ୍ୟ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ଏଭଳି ପରିସ୍ଥିତିରେ ଆହୁରି ସତର୍କତାର ଆବଶ୍ୟକତା ରହିଛି ।