ମଉଳିଲା ଉଡ଼ାନ୍ ଆଶା! : ମୋଦି ଆସିବେନି ଝାରସୁଗୁଡ଼ା, ରାୟପୁରଠାରେ ଓହ୍ଲାଇ ସେଠାରୁ ଆସିବେ ବଲାଙ୍ଗୀର

ଝାରସୁଗୁଡ଼ା ପରିବର୍ତ୍ତେ ରାୟପୁର ବାଟେ ଆସିବେ ମୋଦି

142

କନକ ବ୍ୟୁରୋ: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ବିମାନରେ ଝାରସୁଗୁଡ଼ା ବିମାନବନ୍ଦରକୁ ଆସି ସେଠାରୁ ହେଲିକପ୍ଟରରେ ବଲାଙ୍ଗୀର ଯିବା କାର‌୍ୟ୍ୟକ୍ରମ ଥିଲା। ମାତ୍ର ଶନିବାର ସଂଧ୍ୟାରେ ଏହି କାର‌୍ୟ୍ୟକ୍ରମ ବଦଳି ଯାଇଛି। ମୋଦି ଝାରସୁଗୁଡ଼ା ପରିବର୍ତ୍ତେ ରାୟପୁରଠାରେ ଓହ୍ଲାଇ ସେଠାରୁ ବଲାଙ୍ଗୀର ଆସିବେ ବୋଲି ନୂଆ କାର‌୍ୟ୍ୟକ୍ରମ ଆସିଛି। ତେଣୁ ମୋଦିଙ୍କ ଗସ୍ତ ପାଇଁ ଏଠାରେ ଯେଉଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା ତାହା ଶିଥିଳ ପଡ଼ି ଯାଇଛି।

ଝାରସୁଗୁଡ଼ା  ଏସ୍‌ପି ଅଶ୍ବିନୀ ମହାନ୍ତି ଗତକାଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମୋଦୀଙ୍କ ନୂଆ ଗସ୍ତ କାର‌୍ୟ୍ୟସୂଚୀ ସଂପର୍କରେ ସୂଚନା ଦେଇଛନ୍ତି। ଏହି ଗସ୍ତ ପାଇଁ ଶୁକ୍ରବାରଠାରୁ ଏସପିଜିର ଅଧିକାରୀମାନେ ଏଠାରେ ଡେରା ପକାଇ ସାରିଥିଲେ। ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ ନିଜେ ଏଠାରେ ପ୍ରସ୍ତୁତି ତଦାରଖ କରିଥିଲେ। ମାତ୍ର ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ନୂଆ କାର‌୍ୟ୍ୟକ୍ରମ ହସ୍ତଗତ ହୋଇଥିଲା ଓ ମୋଦି ଝାରସୁଗୁଡ଼ା ପରିବର୍ତ୍ତେ ରାୟପୁର ବାଟେ ଆସିବେ ବୋଲି ଜଣାପଡ଼ିଛି।

ମୋଦିଙ୍କ ଏହି ଗସ୍ତ କାର‌୍ୟ୍ୟସୂଚୀ ପରିବର୍ତ୍ତନ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଏକ ଧକ୍କା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କାରଣ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଆସିଥିଲେ ଏଠାରେ ବନ୍ଦ ପଡ଼ିଥିବା ଉଡ଼ାନ ଯୋଜନାକୁ ଜୀବନ୍ୟାସ ମିଳିଥାନ୍ତା ବୋଲି କିଛି ମହଲରେ ଆଶା ପ୍ରକାଶ ପାଉଥିଲା। ଏମିତିକି ଝାରସୁଗୁଡ଼ା ଦେଇ ଭୁବନେଶ୍ବର-ଦିଲ୍ଲୀ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି, ତା’ ପାଇଁ ମଧ୍ୟ ବାଟ ଫିଟି ପାରିଥାନ୍ତା ବୋଲି ଆଲୋଚନା ହେଉଛି।