୫ଦିନିଆ ୟୁରୋପ୍ ଗସ୍ତରେ ଷ୍ଟକହୋମ୍ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି : ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ, ସ୍ୱିଡ଼େନ ପରେ ବ୍ରିଟେନ ଓ ଜର୍ମାନୀ ଯିବାର କାର୍ଯ୍ୟକ୍ରମ

41

କନକ ବ୍ୟୁରୋ : ୫ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତର ପ୍ରଥମ ଦିନରେ ସ୍ୱିଡ଼େନର ଷ୍ଟକହୋମରେ ପହଂଚିଛନ୍ତି ମୋଦି । ସ୍ୱିଡ଼େନର ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ଲୋଫବେନ୍ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ କେତେକ ମହତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।

ସ୍ୱିଡେନରେ ଥିବା ପ୍ରବାସୀ ଭାରତୀୟ ମାନେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ମୋଦିଙ୍କୁ ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶହଶହ ସଂଖ୍ୟାରେ ଭାରତୀୟ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ବିଳମ୍ବ ହୋଇଥିଲେ ମଧ୍ୟ ମୋଦି ଷ୍ଟକହୋମରେ ପହଂଚିବା ପରେ ଭାରତୀୟଙ୍କ ସହ ହାତ ମିଳାଉଥିବାର ଦେଖିବାକୁ ମିଳିଛି । ଗସ୍ତ ପୂର୍ବରୁ ଷ୍ଟକହୋମର ବିଭିନ୍ନ ଅନୁଷ୍ଠାନକୁ ସ୍ୱତନ୍ତ୍ର ଭାବେ ସଜାଇଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଖୁବ ଉତ୍ସାହିତ ଥିବା ମଧ୍ୟ ଜଣାପଡ଼ିଛି । ଏହି ଗସ୍ତକୁ ନେଇ ସ୍ୱିଡ଼େନରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ସ୍ୱିଡେନ୍ ପରେ ମୋଦି ୟୁରୋପର ଅନ୍ୟ ୪ଟି ଦେଶ ଗସ୍ତ କରିବେ ।