୪୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି : କହିଲେ, ବନ୍ୟା ସମୟରେ କେରଳ ସହ ଛିଡା ହୋଇଛନ୍ତି ଦେଶବାସୀ

38

କନକ ବ୍ୟୁରୋ : ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମର ଏହା ୪୭ତମ ସଂସ୍କରଣ ହୋଇଥିବା ବେଳେ ମୋଦି ଦେଶବାସୀଙ୍କୁ ପ୍ରଥମେ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ସ୍ଥିତିରେ ଦେଶବାସୀ କେରଳ ସହ ରହିଛନ୍ତି । ସେନା ଓ ଅର୍ଦ୍ଧସାମରିକ ବଳ ଯେଭଳି ଭାବେ କେରଳ ବନ୍ୟା ସମୟରେ ଉଦ୍ଧାରକାର୍ଯ୍ୟ କଲେ ତାହା ପ୍ରଶଂସନୀୟ । ଏହି ଅବସରରେ ମୋଦି ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟ ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି, ଭାରତ ରାଜନୀତିରେ ସକାରାତ୍ମକ ପରିବର୍ତନ ଆଣିବାରେ ବାଜପେୟୀଙ୍କ ବିଶେଷ ଭୂମିକା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ ।

ସେ କହିଛନ୍ତି, ଜ୍ଞାନ ହାସଲ୍ ପାଇଁ ସଂସ୍କୃତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ସଂସ୍କୃତ ହେଉଛି ଜ୍ଞାନର ଭଣ୍ଡାର । ତାମିଲ ବିଶ୍ୱର ସବୁଠୁ ପୁରୁଣା ଭାଷା ହୋଇଥିବାରୁ ଏହା ଦେଶ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ଓବିସି, ଅନୁସୂଚିତ ଜାତି ଓ ଜନଜାତି ପରି ପଛୁଆ ବର୍ଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି । ଇଣ୍ଡୋନେସିଆ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପଦକ ଜିଣିଥିବା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିଣିଥିବା ଖେଳାଳିଙ୍କ ପାଇଁ ଆମେ ଗୌରବାନ୍ଵିତ ଓ ଯେଉଁମାନଙ୍କର ଇଭେଣ୍ଟ୍ ବାକି ଅଛି ସେମାନେ ଭଲ କରିବେ ବୋଲି ଆଶା କରୁଛି। ଫିଟନେସ୍ ଉପରେ ଧ୍ୟାନ ଦେବାକୁ ପୁଣି ଥରେ ଭାରତୀୟମାନଙ୍କୁ କହିଛନ୍ତି ।