ମନ୍ କି ବାତରେ ମୋଦି କହିଲେ ହକି କଥା ! ବିଶ୍ୱକପର ସଫଳତା କାମନା କରିବା ସହ କହିଲେ, ଓଡ଼ିଶାର ସଂସ୍କୃତି ମହାନ୍ ।

38

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ବିଶ୍ୱକପ୍ ପାଇଁ ଆଉ ଦିନ କେଇଟା ବାକି ରହିଯାଇଥିବା ବେଳେ ଏନେଇ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ସେପଟେ ମନ୍ କି ବାତରେ ହକି ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଜରିଆରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ହକି ବିଶ୍ୱକପ୍ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ହକି ବିଶ୍ୱକପ୍ ଆୟୋଜନ ହେଉଛି । ତେଣୁ ଭୁବନେଶ୍ୱର ଯାଇ ହକି ବିଶ୍ୱକପ୍ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କ୍ରୀଡାପ୍ରେମୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ହକି ଟୁର୍ଣ୍ଣାମେଂଟ୍ ଦେଖିବା ସହ ଓଡିଶା ପରି ଐତିହ୍ୟ ସଂପନ୍ନ ରାଜ୍ୟ ମଧ୍ୟ ବୁଲି ଦେଖିପାରିବେ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଚିଲିକା ହ୍ରଦ ଦେଖିପାରିବେ ବୋଲି ମଧ୍ୟ ମନ୍ କି ବାତରେ କହିଛନ୍ତି ମୋଦି । ଆସନ୍ତା ୨୮ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ନଭେମ୍ବର ୨୭ ତାରିଖରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହରେ ବଲିଉଡ୍ ଷ୍ଟାର ଶାହାରୁଖ ଖାନଙ୍କ ସମେତ ବଲିଓଡର ବିଶିଷ୍ଟ କଣ୍ଠଶିଳ୍ପୀ ଏ.ଆର ରେହମାନ ମଧ୍ୟ ନଜର ଆସିବେ ।