ନିର୍ବାଚନୀ ସମୟରେ ମୋଦିଙ୍କ ପାଇଁ ଋଷ ଦେଲା ଭଲ ଖବର । ୟୁଏଇ ପରେ ପ୍ରଧାନମନ୍ତ୍ରୀଙ୍କୁ ମଳିବ ଋଷର ସର୍ବୋଚ୍ଚ ସମ୍ନାନ ।

361

କନକ ବ୍ୟୁରୋ: କିଛି ଦିନ ତଳେ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ ଜାୟେଦ ମେଡାଲ ପାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ସଫଳତା ହାସଲ କରିଛନ୍ତି । ତାଙ୍କୁ ଋଷିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୟୁ ଦି ଆପୋଷ୍ଟଲ’ରେ ସମ୍ମାନିତ କରାଯିବ ବୋଲି ନୂଆଦିଲ୍ଲୀସ୍ଥିତି ଋଷୀୟ ଦୂତାବାସ ପକ୍ଷରୁ ଟ୍ବିଟ କରି କୁହାଯାଇଛି । ଭାରତ ଓ ଋଷିଆ ମଧ୍ୟରେ ସର୍ବୋଚ୍ଚ ସାମରିକ ଭାଗିଦାରୀତା ପାଇଁ ମୋଦିଙ୍କୁ ଏହି ସମ୍ମାନ ମିଳିବ ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି ।


ସୂଚନା ମତାବକ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୟୁକୁ ଋଷିଆର ସବୁଠାରୁ ପୁରୁଣା ତଥା ଅତି ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ବୋଲି କୁହାଯାଏ । ଏହାକୁ ସପ୍ତଦଶ ଶତାବ୍ଦୀରେ ପିଟର-ଦି ଗ୍ରେଟ ପ୍ରତିଷ୍ଠା କରିଥିଲେ । ଋଷିଆରେ କମ୍ୟୁନିଷ୍ଟ ଶାସନ ସୋଭିଏତ ୟୁନିୟନ ଥିବା ସମୟରେ ଏହାକୁ ୧୯୧୮ରେ ଉଠାଇ ଦିଆଯାଇଥିଲା । ହେଲେ ୯୦ ଦଶକରେ ସୋଭିଏତ ସଂଘର ପତନ ପରେ ୧୯୯୮ରେ ଏହାକୁ ପୁଣି ଆରମ୍ଭ କରାଯାଇଥିଲା । ୨୦୧୭ରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ଏହି ସମ୍ମାନ ଦିଆଯାଇଥିଲା । କେବଳ ଋଷିଆ ବା ୟୁଏଇ ନୁହେଁ, ମୋଦି ସାଉଦି ଆରବ, ଦକ୍ଷିଣ କୋରିଆ, ପାଲେଷ୍ଟାଇନ ଓ ଆଫଗାନିସ୍ତାନର ସର୍ବୋଚ୍ଚ ସମ୍ମାନ ପାଇସାରିଛନ୍ତି ।


ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ଏହି ସର୍ବୋଚ୍ଚ ସମ୍ନାନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୋଦି ତାଙ୍କ ଅଫିସିଆଲ ଟ୍ୱିଟ ଆକାଉଣ୍ଟରୁ ଟ୍ୱିଟ୍ କରି କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନ୍ ଏବଂ ଋଷିଆ ନାଗରିକଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଭାରତ ଏବଂ ଋଷିଆ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ଏଭଳି ସୁ-ସମ୍ପର୍କ ଉଭୟ ଦେଶର ଭାଗିଦାରିତା ଏବଂ ବିକାଶର ନୂଆ ଦିଶା ଦେଖାଇବ ।