ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଅପେକ୍ଷା : ସିଧାପ୍ରସାରଣ କରିବ ଗୁଗୁଲ ଓ ୟୁଟ୍ୟୁବ

77

କନକ ବ୍ୟୁରୋ : ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଲକିଲ୍ଲାର ଭାଷଣର ଅନଲାଇନ୍ ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ଗୁଗୁଲ ଓ ୟୁଟ୍ୟୁବ । ଅଧିକ ଲୋକଙ୍କ ପାଖରେ ମୋଦିଙ୍କ ସମ୍ବୋଧନକୁ ପହଂଚାଇବା ପାଇଁ ପ୍ରସାର ଭାରତୀ ଇଂଟରନେଟ୍ ସର୍ଚ୍ଚ ଇଂଜିନ ଗୁଗୁଲ ଓ ୟୁଟ୍ୟୁବ ସହ ଚୁକ୍ତି କରିଛି । ମୋଦିଙ୍କ ଭାଷଣ ସହ ସ୍ୱାଧିନତା ଦିବସର କାର୍ଯ୍ୟକ୍ରମକୁ ମଧ୍ୟ ସିଧା ପ୍ରସାରଣ କରିବେ ଗୁଗୁଲ ଓ ୟୁଟ୍ୟୁବ । ସ୍ୱାଧିନତା ଦିବସ ସମାରୋହ କାର୍ଯ୍ୟକ୍ରମ ସହ ଅଧିକ ଦର୍ଶକଙ୍କୁ ଯୋଡିବା ଲକ୍ଷ୍ୟ ରଖି ଏହି ପଦକ୍ଷେପ ନେଇଛି ପ୍ରସାର ଭାରତୀ । ଏହାଛଡା ସ୍ୱାଧିନତା ଦିବସ ସମାରୋହର ଦିନିକିଆ ସିଧା ପ୍ରସାରଣ ଗୁଗୁଲ ଓ ୟୁଟ୍ୟୁବରେ କରି ଡିଜିଟାଲ ଦୁନିଆରେ ଉପସ୍ଥିତି ଜାହିର କରିବ ଭାରତ । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଶପଥ ସମାରୋହର ସିଧା ପ୍ରସାରଣ କରିଥିଲା ଗୁଗୁଲ ।

ସୂଚନାଯୋଗ୍ୟ ସ୍ୱାଧୀନତା ଦିବସର ପ୍ରସ୍ତୁତି ସାରା ଦେଶରେ ଧୁମଧାମରେ ଚାଲିଛି । ଲାଲକିଲ୍ଲାରେ ଲାଗିଛି ୨୫୦୦ରୁ ଅଧିକ ଲ୍ୟାମ୍ପ । ମୋଗଲ ସାମ୍ରାଜ୍ୟରେ ର୍ନିମିତ ଏହି ସ୍ମାରକୀ ଲାଲ୍ କିଲ୍ଲାର ଶୋଭା ବଢ଼ାଉଛି । ତେବେ ସ୍ୱାଧୀନତା ଦିବସ ଉପଲକ୍ଷେ ଗତ ଶୁକ୍ରବାରଠାରୁ ଆଲୋକମାଳାରେ ସଜ୍ଜିତ ହୋଇଛି ଲାଲକିଲ୍ଲା । ଏହି ଆଲୋକମାଳାର ସୈାନ୍ଦର୍ୟ୍ୟ ଶୁକ୍ରବାର ସନ୍ଧ୍ୟା ୭.୩୦ରୁ ୧୧ଟା ପର୍ୟ୍ୟନ୍ତ ଦେଖିବାକୁ ମିଳିଛି । ଏହି ଅପୂର୍ବ ସ୍ମାରକୀ ଲାଲ୍ କିଲ୍ଲାର ଲୋଭନୀୟ ଦୃଶ୍ୟକୁ ଉପଭୋଗ ଲୋକମାନେ କରୁଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଐତିହାସିକ କୀର୍ତ୍ତିର ସମ୍ମୁଖ କାନ୍ଥ ଓ ଦୁଇଟି ପ୍ରମୁଖ ପ୍ରବେଶ ପଥ- ଲାହୋରୀ ଗେଟ୍ ଓ ଦିଲ୍ଲୀ ଗେଟ୍ ଆଲୋକିତ ହୋଇଛି । ସପ୍ତଦଶ ଶତାବ୍ଦୀର ମୋଗଲ ଯୁଗ ସମୟର ସ୍ମାରକ ଗୁଡ଼ିକର ସୂର୍ୟ୍ୟୋଦୟ ପରେ ସୈାନ୍ଦର୍ୟ୍ୟ ବାଇବା ପାଇଁ ଆଲୋକମାଳାରେ ସଜା ଯାଇଛି ।