ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତରେ କମ୍ପିଲା ଅହମ୍ମଦାବାଦ । ମୋଦିଙ୍କୁ ମିତ୍ର ଓ ଭାରତକୁ ବିଶ୍ୱସ୍ତ ସହଯୋଗୀ କହିଲେ ଟ୍ରମ୍ପ । ନୂଆ ଶିଖରକୁ ଛୁଇଁଲା ଭାରତ-ଆମେରିକା ସମ୍ପର୍କ ।

121

କନକ ବ୍ୟୁରୋ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କୁ ରେଡ୍ କାର୍ପେଟରେ ସ୍ୱାଗତ ଜଣାଇଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ । ବିମାନ ବନ୍ଦରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଲିଙ୍ଗନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ମୋଟେରା ଷ୍ଟାଡିୟମରେ କହିଛନ୍ତି, ଆମେରିକା ଓ ଭାରତ ସମ୍ପର୍କରେ ନୂଆ ଇତିହାସ ସୃଷ୍ଟି ହୋଇଛି । ଭାରତର ଆତିଥ୍ୟରେ ବେଶ୍ ଖୁସି ହୋଇ ଟ୍ରମ୍ପ କହିଛନ୍ତି, ଏହାକୁ ସେ ସବୁଦିନ ମନେ ରଖିବେ । ଏବଂ ଆମେରିକା ସବୁବେଳେ ଭାରତର ବିଶ୍ୱସ୍ତ ବନ୍ଧୁ ହୋଇ ରହିବ । ୩୦ ଲକ୍ଷ ଡଲାରର ପ୍ରତିରକ୍ଷା ଚୁକ୍ତି ନେଇ ଘୋଷଣା କରିଛନ୍ତି । ହେଲେ ଏହାକୁ ଟ୍ରମ୍ପଙ୍କ ରାଜନୈତିକ ଗସ୍ତ ବୋଲି କୁହାଯାଉଛି । ତେଣୁ ଫାଇଦା କମ୍, ପ୍ରଚାର ବେଶି ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଅଦ୍ଭୁଦ ସୁଯୋଗ ଏବଂ ଅଭୂତପୂର୍ବ ସମ୍ଭାବନାର ସଂଯୋଗ ଠିକ୍ ସେତେବେଳେ ଘଟିଥିଲା, ଯେତେବେଳେ ଭାରତ ମାଟିରେ ପାଦ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କୁ ପାଛୋଟି ନେବା ପାଇଁ ଅହମ୍ମଦାବାଦ ବିମାନ ବନ୍ଦରରେ ଚାହିଁ ରହିଥିଲେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ । ଏହା କେବଳ ଦୁଇ ବିଶ୍ୱନେତାଙ୍କ ମିଳନ ନଥିଲା, ବରଂ ଥିଲା ବନ୍ଧୁତ୍ୱ ଓ ବିଶ୍ୱାସର ଏକ ବିରଳ ମୂର୍ହୁତ । ପ୍ରଟୋକଲକୁ ଭାଙ୍ଗି ନିଜ ବନ୍ଧୁଙ୍କୁ କୋଳେଇ ନେଇଥିଲେ ମୋଦି ।

ଆଉ ଯେତେବେଳେ ସର୍ଦ୍ଦାର ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ୍ ଅଭିମୁଖେ ଟ୍ରମ୍ପଙ୍କ ଶୋଭାଯାତ୍ରା ଆଗକୁ ବଢୁଥିଲା, ଭାରତ-ଆମେରିକା ସଂପର୍କରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ଅଧ୍ୟାୟ । ହଜାର ହଜାର ଲୋକଙ୍କ ସ୍ୱାଗତ ଭିତରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଟ୍ରମ୍ପ କରିଥିଲେ ଭାରତର ଗୁଣଗାନ ଏବଂ ମୋଦିଙ୍କ ପ୍ରଶଂସା ।

ମୋଦିଙ୍କୁ ପ୍ରଶଂସା କରିବା ସହ ଗୋଟି ଗୋଟି କରି ଟ୍ରମ୍ପ ଗଣାଇଥିଲେ ମୋଦି ସରକାରଙ୍କ ସଫଳତା । ମୋଦିଙ୍କୁ ଚାମ୍ପିୟନ କହିବା ସହ ଭାରତର ବିକାଶକୁ ମୋଦି ସରକାର ଏକ ନୂଆ ଦିଗ ଦେଇଛନ୍ତି ବୋଲି ଟ୍ରମ୍ପ କହିଥିଲେ । ଠିକ୍ ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦି ଯେମିତି ଟ୍ରମ୍ପଙ୍କୁ ପ୍ରଶଂସା କରିଥିଲେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ମୋଦିଙ୍କ ପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି ।

ବ୍ୟବସାୟିକ ଚୁକ୍ତି, ବ୍ୟବସାୟରେ ସହଭାଗୀତା ଏବଂ ଦୁଇ ଦେଶ ମଧ୍ୟରେ ଥିବା ସୁଯୋଗ ଓ ସମ୍ଭାବନାକୁ ଆଗେଇ ନେବାର ପ୍ରତିଶ୍ରୁତି ଦେଇଥିଲେ ଆମେରିକା ରାଷ୍ଟ୍ରପତି । ସାମରିକ କ୍ଷେତ୍ରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବାକୁ ସମସ୍ତ ସାଧନ ଯୋଗାଇ ଦେବାର କଥା କହିଥିଲେ ଟ୍ରମ୍ପ ।

ଆଉ ଏହାର ଠିକ୍ ପରେ ପରେ ପଡ଼ିଥିଲା, ଆତଙ୍କବାଦୀ ଏବଂ ରାଷ୍ଟ୍ର ସୁରକ୍ଷାର ପାଳି । ଖୋଲା ଖୋଲି ଇସଲାମିକ୍ ଟେରରିଷ୍ଟ ପ୍ରସଙ୍ଗ ଉତଥାପନ କରିଥିଲେ ଟ୍ରମ୍ପ । ଆଉ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରୁ ପାକିସ୍ତାନକୁ ଚେତାଇ ଦେଇଥିଲେ ।

ଆଉ ଟ୍ରମ୍ପ ଅଭିଭାଷଣ ପରେ ଯେତେବେଳେ ମୋଦି ଧନ୍ୟବାଦ ଦେବା ଆରମ୍ଭ କରିଥିଲେ, ଲଙ୍ଗ୍ ଲିଭ୍ ଆମେରିକାର ନାରା ଦେଇ ଟ୍ରମ୍ପ ପରିବାର ମନ ଜିଣିବାକୁ ଉଦ୍ୟମ କରିଥିଲେ ନରେନ୍ଦ୍ର ମୋଦି । ଶତାବ୍ଦୀର ଆରମ୍ଭରୁ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଭ୍ରମଣ ଏକ ନୂଆ ସମ୍ଭାବନାକୁ ଉଜାଗର କରିଛି ବୋଲି ମୋଦି କହିଥିଲେ ।

ଆମେରିକା ଓ ଭାରତ ପରସ୍ପରର ନେଚୁରାଲ ଆଲେଇ କହିବା ସହ, ବିଶ୍ୱରେ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ଦୁଇ ଦେଶ ଏକାଠି ମିଶି ଆଗକୁ ବଢ଼ିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଏହି ଗସ୍ତ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଏକ ବାର୍ତ୍ତା ଆଣିଦେଇଛି । କାରଣ, ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ନେତା ଯେତେବେଳେ ଗୋଟିଏ ମଂଚରେ ଏତେ ବଡ଼ ଆହ୍ୱାନ ଦେଉଛନ୍ତି, ଏହା ଉପରେ ରହିଛି ପୁରା ବିଶ୍ୱର ନଜର ।