ମୋଦିଙ୍କ ମୃତ୍ୟୁଞ୍ଜୟ ମନ୍ତ୍ର ! ମହାପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆରାଧନା

122

କନକ ବ୍ୟୁରୋ : ଭୁବନେଶ୍ୱରରେ ଦୁଇ ଦୁନିଆ ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ସହ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ ୮ ଟା ୪୫ ରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଆଗରେ ଲାଗିଥିଲା ମୋଦିଙ୍କ ଲମ୍ବା କାରକେଡ୍ । ମୋଦି ମୋଦି ନାରାରେ ଫାଟି ପଡୁଥିଲା ପରିବେଶ । ମହାପ୍ରଭୁଙ୍କୁ ହାତ ଯୋଡି ଭିତରକୁ ପ୍ରବେଶ କଲେ ପ୍ରଧାନମନ୍ତ୍ରୀ ।

ଶିବଭକ୍ତ ମୋଦିଙ୍କ ଏହା ଥିଲା ପ୍ରଥମ ଲିଙ୍ଗରାଜ ଦର୍ଶନ । ପ୍ରଥମେ ଅଗ୍ରପୂଜ୍ୟ ଗଣେଷଙ୍କୁ ପୂଜା କରିବା ପରେ ମୋଦି ପହଁଚିଥିଲେ ପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ । ମହାମୃତ୍ୟୁଂଜୟ ମନ୍ତ୍ର ଉଚ୍ଚାରଣ ସହ ପ୍ରାୟ ୧୦ ମିନିଟ୍ ଧରି ଚାଲିଲା ଶିବ ଆରାଧନା । ଲିଙ୍ଗରାଜଙ୍କ ପାଖରେ ବେଲପତ୍ର, ପଇଡ ଓ ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କଲେ ମୋଦି ।

ମହାପ୍ରଭୁଙ୍କ ଦର୍ଶନ ପରେ ମନ୍ଦିର ବେଢା ପରିକ୍ରମା । ଲିଙ୍ଗରାଜଙ୍କ ପରିସରରେ ଗୋଟିଏ ପରେ ଗୋଟିଏ ଛୋଟ ବଡ ମନ୍ଦିର ବୁଲି ଦେଖିଥିଲେ ମୋଦି । ଖାଲି ଦେଖିନଥିଲେ , ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ହାତରେ ସ୍ପର୍ଶ କରି ଶିଳ୍ପୀଙ୍କ ଭବ୍ୟ ନିର୍ମାଣକୁ ଅନୁଭବ କରିଥିଲେ । ଓଡିଆ ସଂସ୍କୃତି, କଳା, ସ୍ଥାପତ୍ୟକୁ ଦେଖି ଅଟକିଯାଉଥିଲା ମୋଦିଙ୍କ ପାଦ । ସେବାୟତଙ୍କ ଠାରୁ ବାରମ୍ବାର ଜାଣିବାକୁ ଚାହିଁଥିଲେ ମନ୍ଦିର ଇତିହାସ ସମ୍ପର୍କରେ । ଆଉ ସେବାୟତ ଏବଂ ଗାଇଡ୍ ମାନେ ବି ପ୍ରଧାନମନ୍ତ୍ରୀଙ୍କୁ ଟିକିନିଖି ବୁଝାଇଦେଉଥିଲେ । ବେଶ୍ କିଛି ସ୍ଥାନରେ ଜମୁଥିଲା ପ୍ରଧାନମନ୍ତ୍ରୀଙ୍କ ସହ ସେବାୟତଙ୍କ ସେଲଫି ।

ମନ୍ଦିର ପରିସରରେ ଥିଲା ଆଖି ଝଲସିଗଲା ଭଳି ପରିଚ୍ଛନତା । ଚାରିଆଡେ ସଫା ସୁତୁରା ପରିବେଶ । କୋଉଠି ବି ଟିକିଏ ହେଲେ ଅଳିଆ ଆବର୍ଜନା ନଥିଲା । ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ମନକୁ ବେଶ୍ ଛୁଇଁଥିଲା ଲିଙ୍ଗରାଜର ପରିଷ୍କାର ପରିବେଶ । ଆଉ ସେବାୟତଙ୍କ ଠାରୁ ମୋଦି ଜାଣିବାକୁ ଚାହିଁଥିଲେ ଏହି ସ୍ୱଚ୍ଛତା, ପ୍ରଧାନମନ୍ତ୍ରୀ ଆସୁଛନ୍ତି ବୋଲି ନା ସବୁଦିନର । ମନ୍ଦିର ପରିସରକୁ ଏଭଳି ସଫା ରଖିବାକୁ ପରାମର୍ଶ ଦେଇଥିଲେ ମୋଦି ।

ପ୍ରାୟ ୨୦ ମିନିଟ୍ ଧରି ମନ୍ଦିରରେ ରହିଥିଲେ ପ୍ରଧାନମନ୍ତ୍ରୀ । ମହାପ୍ରଭୁଙ୍କୁ ପୂଜା କରିଥିଲେ, ମନ୍ଦିରର କାରୁକାର୍ଯ୍ୟ ଦେଖିଥିଲେ ଏବଂ ସେବାୟତଙ୍କ ସହ ସେଲଫି ବି ନେଇଥିଲେ । ଆଉ ପ୍ରଧାନମନ୍ତ୍ରୀଙ୍କୁ ଅତି ପାଖରେ ପାଇ ବେଶ୍ ଉତ୍ସାହିତ ହୋଇପଡିଥିଲେ ରାଜଧାନୀବାସୀ ।