ପଶ୍ଚିମବଙ୍ଗ ପାଇଁ ହଜାରେ କୋଟିର ସହାୟତା ଘୋଷଣା: ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା, ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସ୍ଥିତି ସୁଧାରିବାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୋଦୀଙ୍କ ପ୍ରତିଶ୍ରୁତି । କହିଲେ, କେନ୍ଦ୍ରୀୟ ଟିମ୍ ଆସି କରିବେ କ୍ଷୟକ୍ଷତିର ଆକଳନ

313

କନକ ବ୍ୟୁରୋ:  ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ ପଶ୍ଚିମବଙ୍ଗ ପାଇଁ ଆଗୁଆ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତିର ଆକଳନ ପରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । କହିଛନ୍ତି, ପଶ୍ଚିମବଙ୍ଗ କିଭଳି ଖୁବଶୀଘ୍ର ପୁଣି ଆଗକୁ ବଢ଼ିବ ସେଥିପାଇଁ ସାରାଦେଶ ସେମାନଙ୍କ ସହିତ ଅଛି । ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଏକ ଟିମ ଆସି କ୍ଷୟକ୍ଷତିର ସମସ୍ତ ପ୍ରକାର ଆକଳନ କରିବେ । କେନ୍ଦ୍ରୀୟ ଟିମର ରିପୋର୍ଟ ପରେ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ । ଏବଂ ପୁନଃରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ଏଥିସହ ବାତ୍ୟା ଅମ୍ଫାନରେ ଜୀବନ ଯାଇଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏବଂ ଏଭଳି ଦୁଃଖ ସମୟରେ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ବାତ୍ୟା ଅମ୍ଫାନ ଚାଲିଯିବାପରେ ଆଜି ଆକାଶମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଂଚଳର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ବିନାଶକାରୀ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ଘଟାଇଥିବା କ୍ଷତିଗ୍ରସ୍ତ ବିଭିନ୍ନ ଅଂଚଳକୁ ବୁଲଦେଖିଛନ୍ତି ମୋଦି । ହାତରେ ନକ୍ସା ଧରି କ୍ଷତିଗ୍ରସ୍ତ ଅଂଚଳକୁ ତନତନ କରି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ରାଜ୍ୟପାଳ ଜଗଦୀପ ଧନଖଡ ମଧ୍ୟ ମୋଦିଙ୍କ ସହ ଆକାଶମାର୍ଗରୁ ବାତ୍ୟାଂଚଳ ବୁଲି ଦେଖିଛନ୍ତି । ଏହାପରେ ମମତା ବାନାର୍ଜୀ ଓ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ସହ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।

ଶହ ଶହ ବର୍ଷର ସହରରେ ବାତ୍ୟା ଅମ୍ଫାନ ଯେଉଁଭଳି କ୍ଷତି ଘଟାଇଛି ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପଶ୍ଚିମବଙ୍ଗରେ ୮୦ ଜଣଙ୍କ ଜୀବନ ନେଇଛି ଏହି ଭୟଙ୍କର ବାତ୍ୟା । ଆଉ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ବିଦ୍ୟୁତ୍ ସରବରାହ ଓ ଭିତିଭୂମି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ପ୍ରାୟ ଲକ୍ଷେ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ପ୍ରାଥମିକ ଭାବେ କୁହାଯାଉଛି ।