ଚୀନକୁ ଚ୍ୟାଲେଞ୍ଜ ‘ବୋଗିବିଲ୍’: ଦେଶର ସବୁଠୁ ଲମ୍ବା ପୋଲର ଉଦଘାଟନ କରିବେ ମୋଦି, ଆସାମକୁ ଅରୁଣାଚଳ ପ୍ରଦେଶ ସହ ଯୋଡିବ ବୋଗିବିଲ ବ୍ରିଜ୍

୨୧ ବର୍ଷ ଅପେକ୍ଷାର ଅନ୍ତ

469

କନକ ବ୍ୟୁରୋ: ୨୧ବର୍ଷ ପରେ କାର୍ଯ୍ୟକ୍ଷମ ହେବ ନଦୀ ଉପରେ ନିର୍ମିତ ଦେଶର ସବୁଠୁ ଲମ୍ବା ରେଳ ଓ ସଡକ ପଥ । ଆସାମର ବହ୍ମପୁତ୍ର ନଦୀ ଉପରେ ନିର୍ମିତ ଡବଲ ଡେକର ବୋଗିବିଲ ପୋଲ ଆସାମକୁ ଅରୁଣାଚଳ ପ୍ରଦେଶ ସହ ଯୋଡିବ । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୌହାଟୀ ଠାରୁ ପ୍ରାୟ ୪ଶହ କିମି ଦୂରରେ ନିର୍ମିତ ହୋଇଛି ଏହି ବ୍ରିଜ । ଦେଶର ଦୀର୍ଘତମ ଏହି ବ୍ରିଜର ଲମ୍ବା ରହିଛି ପାଖାପାଖି ୪.୯୪କିଲୋମିଟର । ଏହି ପୋଲ ଉଦଘାଟନ ପରେ ଆସାମର ଡିବ୍ରୁଗଡରୁ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦୂରତା କମିଯିବ ।

 

୧୯୮୫ ମସିହାରେ ପୋଲ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା । ୨୨ ଜାନୁୟାରୀ ୧୯୯୭ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ବ୍ରିଜର ଶିଳାନ୍ୟାସ କରିଥିଲେ । ୨୦୦୨ରେ ଅଟଳବିହାରୀ ବାଜପେୟୀଙ୍କ ସମୟରେ ଏହାର କାମ ଆରମ୍ଭ ହୋଇଥିଲା । ୨୧ ବର୍ଷ ପରେ ସମ୍ପୁର୍ଣ୍ଣ ଭାବେ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ନିର୍ମାଣରେ ଷ୍ଟେନଲେସ ସାମଗ୍ରୀ ବ୍ୟବହାର ହୋଇଛି । ଯାହା ୧୨୦ ବର୍ଷ ପର୍ଯ୍ୟନ୍ତ ବ୍ରିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ । ବନ୍ୟା, ଭୂକମ୍ପକୁ ପ୍ରଭାବ ବ୍ରିଜ ଉପରେ ପଡ଼ିବ ନାହିଁ ବୋଲି ସୂଚନା ରହିଛି । ବୋଗିବିଲ ପୋଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୬ହଜାର କୋଟି ଟଙ୍କା । ଏହି ଡବଲ ଡେକର ବ୍ରିଜର ଏକା ଥରକେ ଟ୍ରେନ ଓ ଗାଡିମଟର ଚଳାଚଳ କରିପାରିବ ।

ବ୍ରିଜ ସାଧାରଣ ଲୋକଙ୍କ ସହ ଭାରତୀୟ ସେନା ପାଇଁ ବେଶ ସହାୟକ ହେବ । ରାଜଧାନୀ ଦିଲ୍ଲୀରୁ ଟ୍ରେନ ଯୋଗେ ଡିବ୍ରୁଗଡ ଯିବା ପାଇଁ ପୂର୍ବରୁ ୩୭ଘଂଟା ସମୟ ଲାଗୁଥିବା ବେଳେ ଏବେ ଏହା ୪ଘଂଟା କମିଯିବ । ଏହି ପୋଲ ଚୀନ ସୀମାରେ ଭାରତୀୟ ସେନା ପାଇଁ ବେଶ ସହାୟକ ହେବ । ବୋଗିବେଲ ବ୍ରିଜ ଦେଇ ସେନାର ଟ୍ୟାଙ୍କର ଓ ଅନ୍ୟାନ୍ୟ ଯୁଦ୍ଧସାମଗ୍ରୀ ଅତି ସହଜରେ ନେବା ଆଣିବା କରିହେବ ।