ବିଜେଡି-ବିଜେପି ବିବାଦ ଭିତରେ ଆଜି ବିଜେପୁର ଶୁଣିବ ମୋଦିଙ୍କ ‘ମନ୍ କି ବାତ୍’ ! ବିଜେପି ପକ୍ଷରୁ ୨୭୦ ବୁଥରେ ବ୍ୟାପକ ବ୍ୟବସ୍ଥା

21

କନକ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜେପୁରରେ ଓଡ଼ିଶା ବିଜେପିର ବ୍ୟାପକ ପ୍ରସ୍ତୁତି । ଆଗକୁ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଜେପି । ବିଜେପୁର ନିର୍ବାଚନ ମଣ୍ଡଳିର ୨୭୦ ବୁଥରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ବିଜେପି । ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟରେ ଏଥିରେ ଉପସ୍ଥିତ ରହିବେ । ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି,ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ସୂଚନା ମୁତାବକ, ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ଭିତରେ ବିବାଦ ଘନଉଥିବା ବେଳେ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ । ବିଜେପୁର ବସଷ୍ଟାଣ୍ଡ ପଡ଼ିଆରେ କାର୍ଯ୍ୟକ୍ରମକୁ ନେଇ ଉତେଜନା ସଂପର୍କରେ କନକବର୍ଦ୍ଧନ କହିଛନ୍ତି, ବିଜେପି ପାଖରେ ଅନୁମତି ରହିଛି । ତେବେ ଏନେଇ ଅନ୍ୟଦଳର ଅର୍ଥାତ୍ ବିଜେଡିର କାର୍ଯ୍ୟକ୍ରମ ନେଇ ପ୍ରଶ୍ନ ଉଠାଇଛନ୍ତି । ଏନେଇ ସେ ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଥିବା ସୂଚନା ଦେଇଛନ୍ତି ।

ବିନା ଅନୁମତିରେ କିଭଳି ବିଜେଡି ସେଠି କାର୍ଯ୍ୟକ୍ରମ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁଠି ବିଜେପିର କାର୍ଯ୍ୟକ୍ରମ ରହିଛି ସେଠି ବିଜେଡି କାର୍ଯ୍ୟକ୍ରମ ଆୟୋଜନ କରି ବାଧା ଦେବାକୁ ଉଦ୍ୟମ କରୁଥିବା କନକବର୍ଦ୍ଧନ ସୂଚନା ଦେଇଛନ୍ତି । ଆସନ୍ତାକାଲି ମୋଦିଙ୍କ ମନ୍ ବି ବାତ୍ କାର୍ଯ୍ୟକ୍ରମକୁ ବିଜେପୁର ୨୭୦ଟି ବୁଥରେ ପ୍ରସାରଣ ନେଇ ବିଜେପି ଆୟୋଜନ କରୁଛି । ଆଉ ଏନେଇ ବିଜେପୁରରେ ଲାଗିଥିବା ପୋଷ୍ଟର ଚିରାକୁ ନେଇ ବିବାଦ ଦେଖା ଦେଇଛି ।