କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ! ଗୁଜରାଟ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ପୋଛିଲେ ଲୁହ, କହିଲେ ଚା ବିକିଛନ୍ତି, ଦେଶକୁ କରିନାହାନ୍ତି ବିକ୍ରୀ ।

69

କନକ ବ୍ୟୁରୋ : କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ । କହିଲେ, ମୁଁ ଚା’ ବିକିଛି ଦେଶ ନୁହେଁ । ଗୁଜରାଟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରୁଥିବା ବେଳେ ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନରେ ଗୁଜରାଟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଆଜି ଗୁଜରାଟର ରାଜକୋଟରେ ଏକ ନିର୍ବାଚନୀ ସଭାରେ ଏଭଳି କହି ଭାଙ୍ଗିପଡିଥିଲେ ପ୍ରଧାନମନ୍ତ୍ରୀ ।

ଗୁଜରାଟ ମାଟିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ଜୋରଦାର ଆକ୍ରମଣ କରିବା ପରେ ସୋମବାରରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୋଦି । ସୋମବାର ମୋଦି ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ଏପରିକି ମୋଦି କହିଛନ୍ତି, ସେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କୁ କଂଗ୍ରେସ ପସନ୍ଦ କରୁନାହିଁ । ନିର୍ବାଚନୀ ସଭାର ଭାଷଣ ପରେ ମୋଦି ଏକଥା ଟ୍ୱିଟ କରି କହିଛନ୍ତି ।

କିଛି ଦିନ ପୂର୍ବେ କଂଗ୍ରେସର ଯୁବମୋର୍ଚ୍ଚା ଏକ କାର୍ଟନୁ ଚିତ୍ର ଟ୍ୱିଟ୍ କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଟ୍ରେନ ପ୍ରଧାନମନ୍ତ୍ରୀ ଥେରେସା ମେ ନିଜ ମଧ୍ୟରେ ଆଲୋଚନା କରୁଥିଲେ । ଯେଉଁଥିରେ ଥେରେସା ମେ’ ମୋଦିଙ୍କୁ ଚା’ ବିକିବାକୁ ପରାମର୍ଶ ଦେଉଥିବା ପ୍ରଦର୍ଶନ କରାଯାଇଥିଲା । ଏହି ଟ୍ୱିଟ୍ ଭାଇରାଲ ହୋଇଥିଲା । ଏହାକୁ ଚାରିଆଡୁ ସମାଲୋଚନା କରିବା ପରେ କଂଗ୍ରେସ ଯୁବ ମୋର୍ଚ୍ଚା କ୍ଷମା ମାଗିଥିଲା ।

କଂଗ୍ରେସର ଏଭଳି କାର୍ଯ୍ୟକଳାପ ମୋଦିଙ୍କୁ ମଧ୍ୟ ଖୁବ ବାଧିଛି । ଅନୁମାନ କରାଯାଉଛି ଏହାକୁ ସେ ଠିକ୍ ଭାବେ ଗ୍ରହଣ କରି ପାରିନାହାନ୍ତି । ରାହୁଲଙ୍କ ନିର୍ବାଚନୀ ପ୍ରଚାରକୁ ଟକ୍କର ଦେବା ପାଇଁ ସେ ନିଜେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଏହି ଗୁଜରାଟ ନିର୍ବାଚନ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । କାରଣ ଏହି ନିର୍ବାଚନର ଫଳାଫଳ ଆଗାମୀ ସାଧାରଣ ନିର୍ବାଚନର ଫଳାଫଳ ଉପରେ ପ୍ରଭାବ ପକାଇବ ।