ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଷ୍ଟାଇଲ, ନାଁ ନନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ ! ପୁରୀରେ ମହିଳାଙ୍କୁ ନେଇ ବିଜେଡିର ଶକ୍ତି ପ୍ରଦର୍ଶନକୁ କାଉଣ୍ଟର କଲେ ମୋଦି

ଉଠାଇଲେ ପିପିଲି ପୀଡିତାଙ୍କୁ ନ୍ୟାୟ ପ୍ରସଙ୍ଗ

155

କନକ ବ୍ୟୁରୋ: ବାରିପଦାରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି । ହେଲେ ଏହି ରାଜନୈତିକ ଆକ୍ରମଣ କଂଗ୍ରେସ ଆଡକୁ ଯେଭଳି ତୀବ୍ର ଥିଲା, ବିଜେଡି ଆଡକୁ ସେଭଳି ମନ୍ତର ଥିଲା । ହାତ ଗଣତି ଦୁଇ ଚାରିଟି ପ୍ରସଙ୍ଗକୁ ଛାଡି ଦେଲେ ସବୁ ଆକ୍ଷେପ ଓ ଅଭିଯୋଗ ସିଧାସଳଖ କଂଗ୍ରେସ ଶିବିରକୁ ଯାଇଛି । ବାରିପଦା ସଭାରେ ମୋଦିଙ୍କ ଅଭିଭାଷଣକୁ ଯଦି ଗୋଟିଏ ଲାଇନ୍ରେ କୁହାଯାଏ, ତେବେ ହୁଏତ, ବିଜେପିର ଶତ୍ରୁ ନମ୍ବର ୱାନ୍ ବିଜେଡି ନୁହେଁ ବରଂ କଂଗ୍ରେସ ବୋଲି ଧରି ନେବାକୁ ହେବ । ଆଉ ଏସବୁ ଭିତରେ ମହିଳା ସୁରକ୍ଷା, ଆୟୁଷ୍ମାନ ଯୋଜନା ଏବଂ ପିପିଲି ପୀଡ଼ିତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ  ।

ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଏକ ପ୍ରକାର ବେକଫୁଟରେ ଅଛନ୍ତି ସେହି ପିପିଲି ହତ୍ୟା ପ୍ରସଙ୍ଗ ଉଠାଇ, କଟା ଘା’ରେ ଚୁନ ଦେଲା ଭଳି ରାଜନୈତିକ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇବା ସହ ସିଧାସଳଖ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ପ୍ରଧାନମନ୍ତ୍ରୀ । ପିପିଲି ହତ୍ୟା ଘଟଣା ସହ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି । ଆୟୁଷ୍ମାନ ଭାରତ ଯୋଜନକୁ ଆୟୁଧ କରି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଏହି ଯୋଜନାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

ମହିଳା ସଶକ୍ତିକରଣ ନେଇ ରାଜ୍ୟ ସରକାର ପୁରୀରେ ବିଶାଳ ସମାବେଶ କରୁଥିବା ବେଳେ ମହିଳାଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଯୋଜନାର ଲମ୍ବା ତାଲିକା ରଖିଛନ୍ତି ମୋଦି । ଉଦାହରଣ ଦେବାକୁ ଯାଇ ମିଶନ୍ ଇନ୍ଦ୍ରଧନୁସ୍, ଉଜ୍ଜଳା, ବେଟି ପଢ଼ାଓ-ବେଟି ବଚାଓ ଭଳି କେନ୍ଦ୍ର ସରକାରଙ୍କ ଅଭିଜ୍ଞତାକୁ ସାମ୍ନାରେ ରଖିଛନ୍ତି ମୋଦି । ହେଲେ ବଡ କଥା ହେଉଛି ମୋଦିଙ୍କ ପ୍ରାୟ ୪୦ ମିନିଟ୍ର ଏହି ଭାଷଣରେ ନବୀନଙ୍କ ଅପେକ୍ଷା ରାହୁଲ ଗାନ୍ଧୀ ଅଧିକ ଟାର୍ଗେଟ୍ରେ ରହିଥିଲେ । କଂଗ୍ରେସ ଅମଳର ଦୁର୍ନୀତିକୁ ପ୍ରସଙ୍ଗ କରି ସିଧାସଳଖ ମୋଦି କହିଛନ୍ତି-ଚୌକିଦାରଙ୍କୁ ଚୋର ଗୋଷ୍ଠୀ ହଟାଇବାକୁ ଚାହୁଁଛନ୍ତି ।

ସେହିପରି ରାଫେଲ ଡିଲ୍ ପ୍ରସଙ୍ଗରେ ବି କଂଗ୍ରେସ ଉପରେ ଖୋଲାଖୋଲି ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାଷଣର ଆରମ୍ଭରୁ ହିଁ ମୋଦି କଂଗ୍ରେସକୁ ସିଧାସଳଖ ଆକ୍ରମଣ କରିଥିଲେ । ଆଉ ଏହାର ଆରମ୍ଭ ହୋଇଥିଲା ମଧ୍ୟପ୍ରଦେଶରୁ । ବନ୍ଦେ ମାତରମ୍ ସଂଗୀତ ଉପରେ କଟକଣା ଏବଂ ଜରୁରୀକାଳୀନ ସ୍ଥିତି ସମୟରେ ଲଢ଼ିଥିବା ସଂଗ୍ରାମୀଙ୍କ ପେନସନ୍ ବନ୍ଦ ନେଇ କଂଗ୍ରେସ ଉପରେ ବର୍ଷିଥିଲେ ମୋଦି ।

ଆଗକୁ ୨୦୧୯ ନିର୍ବାଚନ । ବିଜେପି ନେତୃତ୍ୱାଧିନ ଏନ୍ଡିଏର ଲକ୍ଷ୍ୟ ପୁଣିରେ କ୍ଷମତାକୁ ଫେରିବା । ଏହିକ୍ରମରେ ଦେଶବ୍ୟାପି ଚର୍ଚ୍ଚିତ ପ୍ରସଙ୍ଗରେ କଂଗ୍ରେସକୁ ଟର୍ଗେଟ୍ କରିଛନ୍ତି ମୋଦି । କଂଗ୍ରେସକୁ ଏହି ଟାର୍ଗେଟ୍ ଭିତରେ ଗୌଣ ହୋଇଯାଇଛି ନବୀନଙ୍କ ଉପରେ ହମଲା ।

ତେବେ ପିପିଲି ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ମୋଦିଙ୍କ ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି-ଆମେ ଦୃଢ଼ତାର ସହ ଏହି ମାମଲାକୁ ତଦାରଖ କରୁଛୁ ।