ସମର୍ଥକଙ୍କୁ ବିଜୟର ସୂତ୍ର ଜଣାଇଲେ ମୋଦି । କହିଲେ, ରାଜନୀତିର ଗଣିତକୁ ଟପିଗଲା ସାମାଜିକ ଶକ୍ତି ଓ ଆଦର୍ଶର କେମେଷ୍ଟ୍ରି ।

91

କନକ ବ୍ୟୁରୋ : ରାଜନୀତିର ଗଣିତ ଉପରେ ପ୍ରଭାବ ପକାଇଛି ସାମାଜିକ ଶକ୍ତି ଓ ଆଦର୍ଶର କେମେଷ୍ଟ୍ରି, ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଏଭଳି ମତ ରଖିଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ସେ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରନ୍ତି ଏବଂ ସେମାନଙ୍କ ସନ୍ତୋଷ ତାଙ୍କ ଜୀବନମନ୍ତ୍ର । ଏପଟେ ଉତ୍ତରପ୍ରଦେଶର ଜନତାଙ୍କୁ କୃତଜ୍ଞତା ଜଣାଇବା ସହ ବିଜେପିର ଗଡ ବୋଲି କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ନିଜ ନିର୍ବାଚନ ମଣ୍ଡଳିରେ ମୋଦି । ସମର୍ଥକଙ୍କୁ ଜଣାଇଲେ ବିଜୟର ସୂତ୍ର । ଲୋକସଭା ନିର୍ବାଚନରେ ଏନଡିଏର ବିଶାଳ ବିଜୟ ପରେ ନିଜ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ଏହି ଅବସରରେ ଏକ ସଭାରେ ଭାଷଣ ଦେଇ ବିଜେପିର ବିଜୟ ପଛରେ ଗଣିତ ଅପେକ୍ଷା ରସାୟନ ବିଜ୍ଞାନ ବା କେମେଷ୍ଟ୍ରି କାମ କରିଛି ବୋଲି ସେ କହିଛନ୍ତି । ଦେଶରେ ସମାଜିକ ଶକ୍ତି ଓ ଆଦର୍ଶ ତଥା ସଂକଳ୍ପର କେମେଷ୍ଟ୍ରି ସମସ୍ତ ରାଜନୈତିକ ଗଣିତକୁ ଭୁଲ ପ୍ରମାଣିତ କରିଛି ବୋଲି ମୋଦି କହିଛନ୍ତି ।

ନିଜ ବିଜୟକୁ ନେଇ ନେଇ ସ୍ଥାନୀୟ ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ବାରଣାସୀରୁ ପାଇଥିବା ଲୋକଙ୍କ ସ୍ନେହ ଓ ଏଠାରୁ ମିଳିଥିବା ଶକ୍ତି ପାଇଁ ସେ ନିଜକୁ ଧନ୍ୟମନେ କରୁଛନ୍ତି ବୋଲି କହିଛନ୍ତି ମୋଦି । ଉତ୍ତରପ୍ରଦେଶ ସବୁ ବେଳେ ଦେଶ ରାଜନୀତିର ମୂଳଦୂଆ ହୋଇ ଆସିଛି । ତେବେ ୟୁପିରେ ବିଜେପିକୁ ମିଳିଥିବା ସଫଳତା ପାଇଁ ସାରା ରାଜ୍ୟକୁ ଧନ୍ୟବାଦ ଦେଇଛନ୍ତି ମୋଦି । ଏହି ଅବସରରେ ସେ କହିଛନ୍ତି, ୧୯୭୭ରେ ଦେଶ ରାଜନୀତିରେ ଭିନ୍ନ ଏକ ଦିଗ ଉତ୍ତର ପ୍ରଦେଶ ଦେଖାଇଥିଲା ଏବଂ ଏହାକୁ ଆଧାର କରି ଆଜି ଏଠାରେ ବିଜେପି ହ୍ୟାଟ୍ରିକ ମାରିଛି ।

ରାଜନୀତିରେ ଥିବା ଛୁଆଁଅଛୁଆଁ ଭାବ ଆଜି ହଟିଛି ଏବଂ ସାରା ଦେଶରେ ବିଜେପିର ପ୍ରଭାବ ବୃଦ୍ଧି ପାଇଛି ବୋଲି ମୋଦି କହିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ବିଜେପିର ଗଡ ସାଜିଛି ବୋଲି ନିଜ ଉଦବୋଧନରେ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟରୁ ଜାତି ଆଧାର ନିର୍ବାଚନର ଅନ୍ତ ହୋଇଛି ବୋଲି ସେ କହିଛନ୍ତି । ଆସନ୍ତା ୫ ବର୍ଷରେ ବିକାଶ କ୍ଷେତ୍ରରେ ଏକ ବଡ ପରିବର୍ତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହା । ବାରଣାସୀର ସଭାରେ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି । ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ହୋଇଥିବା ବିଳମ୍ବ ପାଇଁ ଭୋଟ ବ୍ୟାଙ୍କ ରାଜନୀତି ହିଁ ଦାୟୀ । ଏଥି ପାଇଁ ଦୀର୍ଘ ଦଶନ୍ଧି ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡିଲା ବୋଲି କହିଛନ୍ତି ମୋଦି ।