ପାଟନା ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ମୋଦିଙ୍କ ଘୋଷଣା : ୨୦୨୨ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ ହେବ ବିହାର

25

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା । ଜେଡିୟୁ ଏନଡିଏକୁ ଫେରିବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଏଭଳି ଏକାଠି ହେବା ପ୍ରଥମ । ନୀତୀଶଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ପାଟନା ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗଦେଇଥିଲେ ।

ଏହି ଅବସରରେ ମୋଦି ନୀତୀଶଙ୍କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ, ବିକାଶ ପାଇଁ ନୀତୀଶଙ୍କ ପ୍ରତିବଦ୍ଧତା ବିହାରକୁ ବିକଶିତ ରାଜ୍ୟରେ ପରିଣତ କରିବ । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବ ବୋଲି ମୋଦି ଘୋଷଣା କରିଥିଲେ । ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା ହାତକୁ ନେଇଛନ୍ତି ଏବଂ ବିହାରର ବିକାଶକୁ ପ୍ରାଥମିକତା ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୨୨ରେ ଦେଶ ୭୫ ସ୍ୱାଧୀନତା ଦିବସ ପାଳନ କରିବା ସମୟରେ ବିହାର ସର୍ବଶ୍ରେଷ୍ଠ ରାଜ୍ୟ ତାଲିକାରେ ସାମିଲ ହୋଇସାରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ଉଚ୍ଚଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ । ଦେଶର ୧୦ଟି ଶ୍ରେଷ୍ଠ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୧୦ଟି ଘରୋଇ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

ଦେଶର ସବୁ ରାଜ୍ୟର ଅମଲାତନ୍ତ୍ରରେ ବିହାରର ଅଫିସର ତଥା ପାଟନା ବିଶ୍ୱବିଦ୍ୟାଳୟର ପୂର୍ବ ଛାତ୍ରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଛି ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଦେଶର ପ୍ରଗତିରେ ପ୍ରଶଂସନୀୟ କାର୍ଯ୍ୟ କରିଛି । ପାଟନା ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୪ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।