ତାଲାବନ୍ଦ ବେଳେ କଣ କରୁଛନ୍ତି ମୋଦି? ଯୋଗର ଥ୍ରୀ-ଡି ସେୟାର କଲେ ପ୍ରଧାନମନ୍ତ୍ରୀ: କହିଲେ, ଆଶା କରୁଛି ମୋ ଭଳି ଆପଣ ବି କରନ୍ତୁ ଯୋଗ

1,841

କନକ ବ୍ୟୁରୋ: ଦେଶରେ ବଢ଼ିଚାଲିଛି କରୋନା ସଂକଟ । ଏହାର ମୁକାବିଲା ପାଇଁ ଦେଶବ୍ୟାପି ଲାଗୁ ହୋଇଛି ଲକଡାଉନ । ଆଉ ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟର ଆକାଉଂଟରେ କିଛି ଥ୍ରୀଡି ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି । ମୋଦି ଟୁଇଟ କରି ଲେଖିଛନ୍ତି ଗତକାଲି ମନକି ବାତ ସମୟରେ କେହି ତାଙ୍କ ଫିଟନେସର ରୁଟିନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହା ପରେ ଏହି ଯୋଗ ବିଡିଓ ସେୟାର କରିବାର ବିଚାର ତାଙ୍କ ମନକୁ ଆସିଥିଲା ।

ଏବଂ ଆପଣମାନେ ସମସ୍ତେ ଏହିଭଳି ଯୋଗ କରିବେ ବୋଲି ଆଶା କରିଛନ୍ତି । ତେବେ ସେ କୌଣସି ଫିଟନେସ୍ ଏକ୍ସପର୍ଟ ନୁହେଁ କିମ୍ବା କୌଣସି ମେଡିକାଲ ଏକ୍ସପର୍ଟ ନୁହେଁ ବୋଲି ଲେଖିଛନ୍ତି । ଦୀର୍ଘ ଦିନ ହେଲା ଯୋଗ କରିବା ତାଙ୍କ ଜୀବନର ଏକ ଅଂଶ ପାଲଟି ଯାଇଛି । ଯେଉଁଥିରେ ତାଙ୍କୁ ଲାଭ ବି ମିଳିଛି । ତେଣୁ ଆପଣମାନେ ଫିଟ ରହିବା ପାଇଁ ଏହି ସବୁ ଉପାୟ ଆପଣାଇଥିବେ ବୋଲି ମୋଦି ଆଶା ପ୍ରକଟ କରିଛନ୍ତି । ଅପଲୋଡ ହୋଇଥିବା ଭିଡିଓ ଗୁଡିକ ବିଭିନ୍ନ ଭାଷାରେ ରହିଛି । ଯେଉଁ ଭିଡିଓ ଅପଲୋଡ ହୋଇଛି ସେଗୁଡିକ ଆନିମେଟେଡ ଭିଡିଓ । ଏହି ଭିଡିଓରେ ମୋଦି ଥ୍ରୀଡି ଅବତାରରେ ଭିନ୍ନ ଭିନ୍ନ ଯୋଗାସନ କରୁଛନ୍ତି ।