ଚୀନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: ଏସସିଓ ଶିଖର ସମ୍ମିଳନୀରେ ମୋଦିଙ୍କ ସୁରକ୍ଷା ମନ୍ତ୍ର

44

କନକ ବ୍ୟୁରୋ: ଚୀନରେ ଚାଲିଥିବା ସଂଘାଇ ସହଯୋଗ ସଙ୍ଗଠନ, ଏସସିଓ ଶିଖର ସମ୍ମିଳନୀକୁ ଆଜି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡିକୁ ସମ୍ବୋଧିକ କରି ମୋଦି ପଡୋଶୀ ଦେଶ ଗୁଡିକ ସହ ଉତମ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ସୁରକ୍ଷା ହେଉଛି ଆମର ପ୍ରାଥମିକତା । ସୁରକ୍ଷା ଦିଗରେ ୬ଟି ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଗତବର୍ଷ ସାଂଘାଇ ସହଯୋଗ ସଙ୍ଗଠନରେ ସଦସ୍ୟ ହୋଇଥିଲା ଭାରତ । ଏଥିରେ ଚୀନ, ଋଷ, ପାକିସ୍ତାନ, ଉଜବେକିସ୍ତାନ, କିର୍ଜିସ୍ତାନ, କାଜିକିସ୍ତାନ ସଦସ୍ୟ ଅଛନ୍ତି । ଆଫଗାନିସ୍ତାନ, ମଙ୍ଗୋଲିଆ, ଇରାନ ଓ ବେଲାରୁସ ସଙ୍ଗଠନର ପର୍ଯ୍ୟବେକ୍ଷକ ଅଛନ୍ତି । ଗତକାଲି ସମ୍ମିଳନୀ ପରିପ୍ରେକ୍ଷୀରେ ମୋଦି ଚୀନ ରାଷ୍ଟ୍ରପତି ଜିଙ୍ଗପିନଙ୍କୁ ଭେଟିଥିଲେ । ଏହି ସମ୍ମିଳନୀରେ ୮ଟି ଦେଶର ପ୍ରତିନିଧି ସାମିଲ ହୋଇଥିଲେ ।

ଉଲ୍ଲେଖ ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର କିଙ୍ଗଦାଓ ସହରରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିଥିଲେ । ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ତଥା ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ । ସାଂଘାଇ ସହଯୋଗ ସଂଗଠନର ଆନୁଷ୍ଠାନିକ ବୈଠକ ପୂର୍ବରୁ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଏହି ସ୍ୱତନ୍ତ୍ର ବୈଠକ ପାଇଁ ଅଧିକାରୀସ୍ତରରେ ତତ୍ପରତା ଦେଖିବାକୁ ମିଳିଥିଲା। ବିଗତ ୪ ବର୍ଷ ମଧ୍ୟରେ ମୋଦି-ଜିଙ୍ଗପିଙ୍ଗଙ୍କ ମଧ୍ୟରେ ଏହା ୧୪ତମ ସାକ୍ଷାତ ବୋଲି ଜଣାପଡ଼ିଛି। ଭାରତ ଓ ଚୀନ୍ ମଧ୍ୟରେ ସୁଦୃଢ଼ ଏବଂ ସ୍ଥିର ସଂପର୍କ ରହିଲେ ଏହା ବିଶ୍ୱରେ ଶାନ୍ତି ଓ ସ୍ଥିରତା ପାଇଁ ପ୍ରେରଣା ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି ତାଙ୍କର ବୁହାନ ଗସ୍ତକୁ ସ୍ମରଣ କରି ଚୀନ୍ ସହ ସୁଦୃଢ଼ ଦ୍ୱିପାକ୍ଷିକ ସଂପର୍କ ସ୍ଥାପନ ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବ୍ରହ୍ମପୁତ୍ର ନଦୀର ଜଳତଥ୍ୟ ଭାରତକୁ ପୂର୍ବଭଳି ପ୍ରଦାନ କରିବାକୁ ଚୀନ୍ ରାଜି ହୋଇଥିବା ବେଳେ ଭାରତରୁ ବାସମତି ଚାଉଳକୁ ବାଦଦେଇ ବିଭିନ୍ନ କିସମର ଚାଉଳ ଚୀନ୍କୁ ରପ୍ତାନି କରିବାକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ବୁହାନ ସମ୍ମିଳନୀର ୬ ସପ୍ତାହ ପରେ ଉଭୟ ନେତା ପୁଣି ଏକାଠି ହୋଇଥିବାରୁ ଦ୍ୱିପାକ୍ଷିକ ସଂପର୍କରେ ଯଥେଷ୍ଟ ସୁଧାର ହେବ ଏବଂ ବିଶ୍ୱାସ ସୃଷ୍ଟିକାରୀ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।