ସାମଗ୍ରୀ ଓ ସେବା ଟିକସର ହେବ ସରଳୀକରଣ । ୧୮ ପ୍ରତିଶତ କିମ୍ବା ତାଠାରୁ କମ ହାରରେ ରହିବ ୯୯ ପ୍ରତିଶତ ସାମଗ୍ରୀ

ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି)କୁ ଆହୁରି ସରଳ କରାଯିବ

100

କନକ ବ୍ୟୁରୋ : ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି)କୁ ଆହୁରି ସରଳ କରାଯିବ। ଏଥିପାଇଁ ଯୋଜନା ଚାଲିଛି। ୯୯ ପ୍ରତିଶତ ସାମଗ୍ରୀକୁ ୧୮% କିମ୍ବା ତା’ଠାରୁ କମ୍ ହାରର ଜିଏସଟି ପରିସରକୁ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ୨୮% ଜିଏସଟି କେବଳ ବିଳାସପୂର୍ଣ୍ଣ ଭଳି ଅଳ୍ପ କେତୋଟି ସାମଗ୍ରୀରେ ଲାଗୁ ହେବ। କିନ୍ତୁ ସାଧାରଣ ଲୋକ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକୁ ୧୮% କିମ୍ବା ତା’ଠାରୁ କମ୍ ଜିଏସଟି ବର୍ଗରେ ରଖାଯିବ। ଏହା ହେଲେ ଆଗାମୀ ଦିନରେ ଅନେକ ନିତିଦିନିଆ ବ୍ୟବହାର ହେଉଥିବା ସାମଗ୍ରୀ ଆହୁରି ଶସ୍ତା ହେବ।ଅନ୍ୟପକ୍ଷରେ ଉଦ୍ୟୋଗ ଗୁଡ଼ିକ ପାଇଁ ଜିଏସଟିକୁ ଯେତେ ସମ୍ଭବ ସେତେ ସରଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ବିଭିନ୍ନ ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଭାଟ୍ କିମ୍ବା ଉତ୍ପାଦନ ଶୁଳ୍କ ଢାଞ୍ଚାକୁ ଦେଖି ଜିଏସଟି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ସମୟକୁ ସମୟ ଏହା ଉପରେ ଆଲୋଚନା କରାଯାଇ ଜିଏସଟି ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି ବୋଲି ସେ କହିଛନ୍ତି। ମୋଦୀ ଏହା ମଧ୍ୟ କହିଛନ୍ତି, ଜିଏସଟି ଲାଗୁ ହେବା ପୂର୍ବରୁ ଦେଶରେ କେବଳ ୬୫ ଲକ୍ଷ ଉଦ୍ୟୋଗୀ ପଞ୍ଜୀକୃତ ଥିଲେ। ଏବେ ଏଥିରେ ୫୫ ଲକ୍ଷ ବୃଦ୍ଧି ଘଟିଛି।