ବେରୋଜଗାର ପ୍ରସଙ୍ଗରେ ରାହୁଲଙ୍କୁ ଜବାବ ଦେଲେ ମୋଦି, କହିଲେ କଂଗ୍ରେସ ସରକାର ସମୟରେ କେତେ ଜଣଙ୍କୁ ଚାକିରି ମିଳିଥିଲା ତାହର ଜବାବ ରଖ

24

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଅନେକ ସମୟରେ ବିରୋଧୀମାନେ ସମାଲୋଚନା କରିବାର ଦେଖାଯାଉଛି । ତେବେ ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ରୋଜଗାର କାହିଁକି କମିନାହିଁ ବୋଲି ପ୍ରଶ୍ନ କରିଥିଲେ । ସେହି ପ୍ରଶ୍ନର ଜବାବ ରଖି ମୋଦି କହିଛନ୍ତି ଯେ, ଆମ ସରକାର ଆସିବା ପରେ ବିଗତ ଏକ ବର୍ଷ ମଧ୍ୟରେ ୧କୋଟିରୁ ଅଧିକ ଯୁବକମାନଙ୍କୁ ଚାକିରି ମିଳିଛି । ତେଣୁ ଅଯଥାରେ ବିରୋଧୀମାନଙ୍କ କଥା ନ ଶୁଣିବାପାଇଁ ମୋଦି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 

ମୋଦି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ସାରା ବିଶ୍ୱରେ ଭାରତର ଅର୍ଥନୈତିକ ଯଦି ସୁଦୃଢ ହେବାରେ ଲାଗିଛି ତେବେ ଏଠାକାର ଯୁବକ ଓ ଯୁବତୀମାନଙ୍କୁ ଚାକିରି ମିଳୁନାହିଁ ବୋଲି ଆମେ କିପରି ଭାବରେ କହିବା ? ଏହାସହ ମୋଦି କହିଛନ୍ତି ଯେ, ଦେଶରେ ସଡକପଥର ନିର୍ମାଣ ହେଉଛି , ରେଳପଥ ସହ ଅନେକ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି । ତେବେ ଏପରି କାମରେ ଚାକିର ତ ସୃଷ୍ଟି ହେଉଛି । ତେବେ ଅଯଥାରେ ସରକାରଙ୍କୁ ବଦନାମ କରିବା ପାଇଁ ବେକାରୀ ସମସ୍ୟା ବଢୁଥିବା କୁହାଯାଉଛି । ବର୍ତ୍ତମାନ ସମୟରେ ୪୫ ଲକ୍ଷ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ସହ ବିଗତ ୯ ମାସରେ ୫.୬୮ ଲକ୍ଷ ଲୋକ ନୂଆ ସ୍କିମରେ ଟଙ୍କା ଲଗାଇଛନ୍ତି । ଏହାକୁ ଯଦି ଅନୁଧ୍ୟାନ କରାଯାଏ ତେବେ ସ୍ପଷ୍ଟ ଭାବରେ ଜଣାପଡିବ ଯେ, ୧ କୋଟିରୁ ଉଦ୍ଧ୍ୱର୍ ଲୋକ ରୋଜଗାର ପାଇଛନ୍ତି ।

 

ଏହାସହ ମୋଦି କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଅନେକ ବିକାଶ ହେଉଛି । ୨୦୧୪ ମସିହାରେ ମୋବାଇଲ ଉପକରଣ ମାତ୍ର ୨ଟି ଥିଲା ବର୍ତ୍ତମାନ ସମୟରେ ତାହା ୧୨୦ ରୁ ଉଦ୍ଧ୍ୱର୍ ହେଲାଣି । କେବଳ ଏତିକି ନୁହେଁ ଅନେକ କ୍ଷେତ୍ରରେ ଦେଶର ବିକାଶ ହେଉଛି । ବର୍ତ୍ତମାନ ସମୟରେ ଭାରତରେ ବିଦେଶୀ କମ୍ପାନୀମାନେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ସେମାନେ ଟଙ୍କା ନିବେଶ କରୁଥିବାରୁ ଦେଶର ଆର୍ଥିକ ସ୍ଥିତି ମଜବୁତ ହୋଇଛି । ଏପରିକି ପର୍ଯ୍ୟଟନରେ ମଧ୍ୟ ୧୪ ପ୍ରତିଶତ ଅଧିକ ଲାଭ ହୋଇଥିବା ଜଣାଯାଏ । ଏତେ ସବୁ ପରେ ଯଦି କଂଗ୍ରେସ କହିବ ଦେଶରେ କୈାଣସି ପ୍ରକାର ଅଭିବୃଦ୍ଧି ହୋଇନାହିଁ ତେବେ ତାହର ଜବାବ ଲୋକମାନେ ଦେବେ ବୋଲି ମୋଦି କହିଛନ୍ତି । ମୋଦିଙ୍କ ଏପରି ଜବାବ ଉପରେ ବିରୋଧୀଦଳର କୈାଣସି ନେତା ପ୍ରତିକ୍ରିୟା ବର୍ତ୍ତମାନ ସମୟରେ ଦେଇନାହାନ୍ତି ।