ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୩୦ ଯବାନଙ୍କ ଜୀବନ ! ମୋଦି କହିଲେ, ଦିଆଯିବ ଦୃଢ ଜବାବ୍, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ ।

1,008

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦୋହଲିଯାଇଛି ପୁରା ଦେଶ । ସହିଦ ହୋଇଛନ୍ତି ୩୦ ଯବାନ ଏବଂ ୪୫ ଜଣ ଯବାନ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିବା ସହ ସେମାନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି । ବରିଷ୍ଠ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଜୈସ-ଇ-ମହମ୍ମଦକୁ ଏକ ଏଭଳି ଶିକ୍ଷା ଦିଆଯିବ ଯାହା ସେମାନେ କେବେ ବି ଭୁଲିପାରିବେ ନାହିଁ । ଏହା କାପୁରୁଷଙ୍କ କାମ ବୋଲି ଜେଟଲୀ କହିଛନ୍ତି । ସହିଦ ଜବାନମାନଙ୍କୁ ଆମେ ସାଲ୍ୟୁଟ କରୁଛୁ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ଆମେ ଠିଆ ହୋଇଛୁ ବୋଲି ଜେଟଲୀ କହିଛନ୍ତି ।

ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଗୃହ ମନ୍ତ୍ରାଳୟ ପୁରା ଘଟଣା ଉପରେ ନଜର ରଖିଛି । ଆକ୍ରମଣ ପରେ ଜମ୍ମୁ କାଶ୍ମୀର ରାଜ୍ୟପାଳ, ସିଆରପିଏଫ ଡିଜି ଓ ଗୃହ ସଚିବଙ୍କ ସହ ରାଜନାଥ କଥା ହୋଇଛନ୍ତି । ସେପଟେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏହା କାପୁରୁଷଙ୍କ କାମ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ଆମେ ଠିଆହୋଇଛୁ । ସେପଟେ କଂଗ୍ରେସ ମୋଦି ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇ କହିଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଭାରତ ପାଇଁ ସବୁଠାରୁ ବଡ ବିପଦ । ଭାରତର ସୁରକ୍ଷା ସହ କାହିଁକି ସାଲିସ କରାଯାଉଛି ବୋଲି କଂଗ୍ରେସ ପ୍ରବକ୍ତା ପ୍ରଶ୍ନ ଉଠାଇଛନ୍ତି ।