ଆଜି ଦୁଇ ଦିନିଆ ନେପାଳ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ : ବିଭିନ୍ନ ପ୍ରସଙ୍ଗରେ ହେବ ଦ୍ୱିପାକ୍ଷିକ ଆଲୋଚନା, ଜନକପୁରରୁ ଅଯୋଧ୍ୟାକୁ ବସ ସେବାର ଆରମ୍ଭ କରିବେ ମୋଦି

37

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡୋଶୀ ନେପାଳକୁ ଆଜି ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ପ୍ରଥମେ ପଡ଼ୋଶୀର ନାରା ଦେଇ ନେପାଳ ସହ ଅନେକ ଦ୍ୱିପାକ୍ଷିତ ଆଲୋଚନା ହେବା ନେଇ ସୂଚନା ଦେଇଛନ୍ତି ମୋଦି । ଏହା ନରେନ୍ଦ୍ର ମୋଦିଙ୍କ ତୃତୀୟ ନେପାଳ ଗସ୍ତ । ଏହି ଦୁଇ ଦିନିଆ ଗସ୍ତରେ ମୋଦି ଯୋଗାଯୋଗ ଏବଂ ବିକାଶ ମୂଳକ ପ୍ରକଳ୍ପ ସଂପର୍କରେ ନେପାଳ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି । ଆଜି ସକାଳ ୧୦ଟା ୧୫ରେ ମୋଦି ଜନକପୁର ଏୟାରପୋର୍ଟରେ ପହଂଚି ସିଧା ଜାନକି ମନ୍ଦିର ଯିବେ । ଜାନକୀ ମନ୍ଦିରରେ ମୋଦିଙ୍କୁ ସ୍ୱାଗତ କରିବେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି । ଜାନକୀ ମନ୍ଦିରରେ ପୂଜାଚର୍ଚ୍ଚା କରିବା ପରେ ଜନକପୁରରୁ ଅଯୋଧ୍ୟାକୁ ବସ ସେବାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ରାମାୟଣ ସର୍କିଟର ବିସ୍ତାର କାର୍ଯ୍ୟକ୍ରମ ଭାବେ ଦେଖାଯାଉଛି ।

ମଧ୍ୟାହ୍ନ ୧୨ଟା ୨୫ରେ ଭାରତର ପ୍ରଧାନମନ୍ତ୍ରୀ କାଠମାଣ୍ଡୁ ଯିବେ, ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ସେହିପରି ଆସନ୍ତାକାଲି ମୁକ୍ତିନାଥ ମନ୍ଦିର ଓ ପଶପତିନାଥ ମନ୍ଦିର ମୋଦି ଯିବା କାର୍ଯ୍ୟକ୍ରମ ରହିଛି ।