ଧ୍ୟାନ ମୁଦ୍ରାରେ ପ୍ରଧାନମନ୍ତ୍ରୀ: ନା ନେତା ନା ଅଫିସର, ନା ମନ୍ଦିର ପ୍ରଶାସନ ନା ସୁରକ୍ଷାକର୍ମୀ; ଗୁମ୍ଫା ଭିତରେ କାଲି ସକାଳ ଯାଏଁ ଧ୍ୟାନରେ ବସିଲେ ମୋଦି

963

କନକ ବ୍ୟୁରୋ: ରାତି ପାହିଲେ ମତଦାନ । ବାରାଣସୀରେ ଦ୍ୱିତୀୟଥର ପାଇଁ ପରୀକ୍ଷା ହେଉଛି ପ୍ରଧାନମନ୍ତ୍ରୀଙ୍କର । ଏହାପୂର୍ବରୁ ଆଜି ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି, ଆଶୀର୍ବାଦ ଲୋଡିଛନ୍ତି । ଏହାପରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ । ହିମାଳୟର ନିବୁଜ ଗୁମ୍ଫା ଏବଂ ଆଖପାଖରେ କେହି ନଥିବା ବେଳେ , ଆସନ୍ତାକାଲି ଯାଏଁ ଧ୍ୟାନ ମୁଦ୍ରାରେ ବସିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି କେଦାରନାଥରୁ ବାହାରି ବଦ୍ରିନାଥ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହିମାଳୟର ପବିତ୍ର ଗୁମ୍ଫାରେ ଧ୍ୟାନ ମୁଦ୍ରାରେ ପ୍ରଧାନମନ୍ତ୍ରୀ । ପାହାଡ ଭିତର ନିବୁଜ ଗୁ୍ମ୍ଫା । ଚାରିଆଡେ ଅନ୍ଧକାର, ନିଃଶବ୍ଦ । ଆଖପାଖରେ କେହି ନାହାଁନ୍ତି । ନା ନେତା ନା ଅଫିସର । ନା ମନ୍ଦିର ପ୍ରଶାସନ ନା ସୁରକ୍ଷାକର୍ମୀ । ଗୁମ୍ଫା ଭିତରେ ରବିବାର ସକାଳ ଯାଏଁ ଧ୍ୟାନରେ ବସିଛନ୍ତି ମୋଦି ।

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଶିବଙ୍କ ଶରଣରେ ମୋଦି । ଭଗବାନ କେଦାରନାଥଙ୍କ କରୁଣା ଲାଭ କରିବାକୁ ହିମାଳୟର ହଜାର ହଜାର ଫୁଟ ଉପରେ ଥିବା ପବିତ୍ର ଗୁମ୍ଫାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ହାତଯୋଡି, ନତମସ୍ତକ ହୋଇ ବାବା କେଦାରନାଥଙ୍କ ଆରାଧନା କରିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୁଦ୍ରାଭିଷେକ କରିଥିଲେ । ସ୍ଥାନୀୟ ଅଂଚଳର ବେଶଭୂଷା ସହ ବେକରେ ରୁଦ୍ରାକ୍ଷ ମାଳ ପକାଇ ପୂଜା କରିଥିଲେ ପ୍ରଧାନମନ୍ତ୍ରୀ । ହିନ୍ଦୁ ପରମ୍ପରା ଅନୁସାରେ ମନ୍ଦିର ଚାରିପଟେ ପରିକ୍ରମା ବି କରିଥିଲେ । ଗତ ୩ବର୍ଷ ଭିତରେ ଚତୁର୍ଥ ଥର ପାଇଁ ବାବା କେଦାରନାଥଙ୍କ ଆଶୀର୍ବାଦ ଲୋଡିଥିଲେ ମୋଦି ।

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି ପୂଜା କରିଥିବା ବେଳେ ଗୁଜୁରାଟ ସୋମନାଥ ମନ୍ଦିରରେ ପହଁଚିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଶିବ ମନ୍ଦିରରେ ସପରିବାର  ପୂଜାର୍ଚ୍ଚନା କରିଥିଲେ । ରବିବାର ଶେଷ ପର୍ଯ୍ୟାୟ ମତଦାନ ଏବଂ ଆସନ୍ତା ୨୩ରେ ଫଳାଫଳ ଆସିବାକୁ ଥିବାବେଳେ ମୋଦି ଓ ଶାହାଙ୍କ ପୂଜାର୍ଚ୍ଚନାକୁ ନେଇ ବେଶ ଚର୍ଚ୍ଚା ହେଉଛି ।