୫ ବର୍ଷରେ ୫୨ ପ୍ରତିଶତ ବଢିଛି ମୋଦିଙ୍କ ସମ୍ପତ୍ତି । କୌଣସି ଅପରାଧିକ ମାମଲା ନାହିଁ, ପ୍ରାର୍ଥୀପତ୍ରରୁ ଆସିଲା ତଥ୍ୟ ।

722

କନକ ବ୍ୟୁରୋ : ବାରାଣାସୀ ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ନାମାଙ୍କନରେ ମୋଦି ଦାଖଲ କରିଥିବା ସତ୍ୟପାଠରୁ ତାଙ୍କ ଆୟ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି ୫୨ ପ୍ରତିଶତ ବୃଦ୍ଧି ପାଇଛି । ମୋଦୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି ହୋଇଥିବା ବେଳେ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ରହିଛି ୧.୪୧ କୋଟି ଟଙ୍କା । ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ମୋଦୀଙ୍କ ସମ୍ପତ୍ତିର ମୂଲ୍ୟ ଅଧାରୁ ଅଧିକ ବୃଦ୍ଧି ପାଇଛି ବୋଲି ରିପୋର୍ଟ ରହିଛି । ଶୁକ୍ରବାର ସେ ବାରଣାସୀ ଲୋକସଭା ନିର୍ବାଚନ ପାଇଁ ନିଜର ସତ୍ୟପାଠ ଦାଖଲ କରିବା ପରେ ଏ ସଂପର୍କରେ ଜାଣିବାକୁ ମିଳିଛି ।

ସତ୍ୟପାଠରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଖରେ ସମୁଦାୟ ୨.୫୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଅସ୍ଥାବର ସମ୍ପତ୍ତି ମଧ୍ୟରେ ସବୁଠାରୁ ଅଧିକ ପରିମାଣ ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ସେ କରିଥିବା ଫିକ୍ସ ଡିପୋଜିଟ୍ । ମୋଦୀ ଏସବିଆଇରେ ୧.୨୭ କୋଟି ଜମା ରଖିଥିବା ସୂଚନା ରହିଛି । ତେବେ, ଜାଣିବାକୁ ମିଳିଛି ଯେ ୨୦୧୪ ମସିହା ତୁଳନାରେ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ୧୧୪.୧୫ ପ୍ରତିଶତ ବଢ଼ିଛି । ତାଙ୍କର ରୋଜଗାର ମୁଖ୍ୟ ଉତ୍ସ ହେଉଛି ତାଙ୍କର ସରକାରୀ ଦରମା ଓ ସେ ଟଙ୍କାରୁ ମିଳୁଥିବା ବ୍ୟାଙ୍କ୍ ସୁଦ୍ଧ । ତେବେ, ୨୦୧୯ ଲୋକସଭା ନିର୍ବାଚନ ପାଇଁ ସେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଳେଖ କରାଯାଇଛି ଯେ ତାଙ୍କ ବିରୋଧରେ କୌଣସି ଅପରାଧୀକ ମାମଲା ନାହିଁ ।