ଆଜି ନାଗାଲାଣ୍ଡ ଓ ମେଘାଳୟରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି : ଗସ୍ତ ପୂର୍ବରୁ ଉତ୍ତର- ପୂର୍ବାଂଚଳ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା

26

କନକ ବ୍ୟୁରୋ : ଆଜି ନାଗାଲାଣ୍ଡ ଓ ମେଘାଳୟରେ ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ୨୭ରେ ଭୋଟ ପଡିବାକୁ ଥିବା ଏହି ଉତ୍ତର-ପୂର୍ବାଂଚଳ ରାଜ୍ୟରେ ପଦ୍ମ ଫୁଟାଇବାକୁ ନିର୍ବଚାନୀ ସଭା କରିବେ ମୋଦି । ଆସାମ, ଅରୁଣାଚଳ ପ୍ରଦେଶ ଓ ମଣିପୁରରେ କ୍ଷମତା ଦଖଲ ପରେ ଏହି ଦୁଇ ଉତର ପୂର୍ବାଂଚଳ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛି ଗେରୁଆ ଦଳ । ନାଗାଲାଣ୍ଡରେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ବା ଏନଡିପିପି ସହ ମେଂଟ କରିଛି ବିଜେପି । ସେହିପରି ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ଲାଗି ୪୭ଟି ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ଲାଗି ମଧ୍ୟ ପ୍ରଚାର କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଏନସିପି ନେତା ଜେଏନ ସାଙ୍ଗମାଙ୍କ ହତ୍ୟା ପରେ ସାରା ରାଜ୍ୟରେ କେନ୍ଦ୍ରୀୟ ପୋଲିସ ବଳଙ୍କୁ ମୁତୟନ କରାଯାଇଛି । ଆଇନ ଶୃଙ୍ଖଳା ଉପରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସତର୍କ ନଜର ରଖିଛନ୍ତି ।

ସେପଟେ ମେଘାଳୟରେ ଶେଷ ନିର୍ବାଚନୀ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦ୍ୱିତୀୟ ତଥା ନିଜ ଶେଷ ପ୍ରଚାର ଦିନରେ ସିଲଂରେ ବିଶାଳ ରୋଡ ସୋକୁ ସମ୍ବୋଧିତ କରିଛନ୍ତି ରାହୁଲ ।ଜନସଭାକୁ ସମ୍ବୋଧିତ କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ଅର୍ଥ ବଳରେ ବିଜେପି ସରକାର ଶାସନଗାଦୀ ଉପରେ କବଜା ଓ ଗିର୍ଜା ଘରକୁ କିଣିବା ପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ନୀରବ ମୋଦି ମାମଲାକୁ ନେଇ ମୋଦି ସରକାରଙ୍କୁ ସାମଲୋଚନା କରିଛନ୍ତି ରାହୁଲ । ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ଅଭିଯୁକ୍ତଙ୍କୁ ଦେଶରୁ ଫେରାର କରିବା ପଛରେ ମୋଦି ସରକାରଙ୍କ ହାତ ଥିବା ସେ ଅଭିଯୋଗ କରିିଛନ୍ତି ।