ବାପୁଙ୍କ କର୍ମଭୂମିରେ ନରେନ୍ଦ୍ର ମୋଦି : ଚମ୍ପାରଣ ସତ୍ୟାଗ୍ରହକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଶତାବ୍ଦୀ ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ମୋଦି

29

କନକ ବ୍ୟୁରୋ : ବାପୁଙ୍କ କର୍ମଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ମୋତିହାରି ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ମୋଦି । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ ଭାବରେ କଟିହାର ଓ ପୁରୁଣା ଦିଲ୍ଲୀ ମଧ୍ୟରେ ହମସଫର ଏକ୍ସପ୍ରେସକୁ ମୋଦିଙ୍କ ସବୁଜ ସଙ୍କେତ । ଏହାସହ ୨୦ହଜାର ସ୍ୱେଚ୍ଛାଗ୍ରହୀଙ୍କୁ ଉଦବୋଧନ ଦେବା ସହ ୧୦ଜଣଙ୍କୁ ସମ୍ମାନିତ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଚମ୍ପାରଣ ସତ୍ୟାଗ୍ରହକୁ ଶହେ ବର୍ଷ ପୁରିଛି । ୧୯୧୭ଆଜିିର ଦିନରେ ମହାତ୍ମା ଗାନ୍ଧୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସହ ମହିଳା ସଶକ୍ତିକରଣକୁ ନେଇ ଚମ୍ପାରଣ ଅଭିଯାନ ଆରମ୍ଭ କରିଥିଲେ । ବିହାରରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋତିହାରିର ଗାନ୍ଧି ବାଲ ଉଦ୍ୟାନରେ ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିହାର ପାଇଁ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି । ବିହାରକୁ ମହାତ୍ମା ଗାନ୍ଧୀଙ୍କ କର୍ମଭୂମି ବୋଲି ଭୋଜପୁରୀ ଭାଷାରେ କହି ମୋଦି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଏହାସହ ବିହାର ମୋହନଦାସଙ୍କୁ ମହାତ୍ମା ବନାଇଥିଲା । ବିହାରର ଜୟପ୍ରକାଶ ନାରାୟଣ ଦେଶରେ ଲୋକତନ୍ତ୍ରର ପୃଷ୍ଠପୋଷକ ବୋଲି କହିଛନ୍ତି ମୋଦି ।

 

ଏପ୍ରିଲ ୩ତାରିଖରୁ ୟୁନିସେଫ ଦିଲ୍ଲୀରେ ‘ଚଲୋ ଚମ୍ପାରଣ’ ଅଭିଯାନ ଆରମ୍ଭ କରିଛି । ୟୁନିସେଫ ଭାରତରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ପରିପ୍ରେକ୍ଷୀରେ ବିହାରରେ କାମ କରୁଥିବା ପ୍ରାୟ ୨୦ହଜାର ସ୍ୱେଚ୍ଛାଗ୍ରହୀଙ୍କୁ ମୋଦି ଉଦବୋଧନ ଦେଇଥିଲେ । ଏହି ଅବସରରେ ୧୦ଜଣ ସ୍ୱେଚ୍ଛାଗ୍ରହୀଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ମୋଦି । ଗତ ଏକ ସପ୍ତାହ ମଧ୍ୟରେ ବିହାରରେ ୮ଲକ୍ଷ ୫୦ହଜାର ଶୌଚାଳୟ ନିର୍ମାଣ ହୋଇଛି । ଏହାସହ ଗଙ୍ଗା ନଦୀର ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ ୩ହଜାର କୋଟିର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ୧ହଜାର ୧୧୧କୋଟିର ୪ଟି ସ୍ୱରେଜ ପ୍ରୋଜେକ୍ଟକୁ ମଧ୍ୟ ଘୋଷଣା କରାଯାଇଛି । ଏହାସହ କଟିହାର ଓ ପୁରୁଣା ଦିଲ୍ଲୀ ମଧ୍ୟରେ ଚାଲିବାକୁ ଥିବା ବହୁ ପ୍ରତିକ୍ଷିତ ହମସଫର ଏକ୍ସପ୍ରେସକୁ ମୋଦି ସବୁଜ ସଙ୍କେତ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଖୋଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିମାନ ବନ୍ଦରରେ ପହଂଚିଥିଲେ । ସେଠାରେ ଗୋଲାପ ଫୁଲ ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ ନୀତିଶ । କେନ୍ଦ୍ରମନ୍ତ୍ରୀ ଉମାଭାରତୀ ଓ ରାମବିଲାସ ପାଶୱାନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମଧେପୁରାର ଲୋକେମୋଟିଭ ଫ୍ୟାକ୍ଟ୍ରିକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୋଦି । ପ୍ରଥମ ଥର ପାଇଁ ୧୨ ହଜାର ହର୍ସପାୱାରର ରେଳ ଇଞ୍ଜିନର ମଧ୍ୟ ଲୋକାର୍ପଣ କରିଛନ୍ତି ।