ଆଜାଦ୍ ହିନ୍ଦ ସରକାରକୁ ୭୫ ବର୍ଷ ! ସେପଟେ ଇତିହାସରେ ପ୍ରଥମ ଘଟଣା, ଲାଲକିଲ୍ଲାରେ ଗୋଟିଏ ବର୍ଷରେ ଦୁଇ ଦୁଇ ଥର ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ।

39

କନକ ବ୍ୟୁରୋ : ଇତିହାସରେ ପ୍ରଥମ । ଗୋଟିଏ ବର୍ଷରେ ଦୁଇ ଦୁଇ ଥର ଲାଲକିଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ । ଆଜାଦ ହିନ୍ଦ ସରକାରକୁ ୭୫ ବର୍ଷ ପୁରିଥିବା ବେଳେ ମହାଆଡମ୍ବରରେ ପାଳନ କରିଛନ୍ତି ମୋଦି ସରକାର । ସ୍ୱାଧୀନତା ସଂଗ୍ରାମରେ ସୁବାସ ବୋଷଙ୍କ ଅବଦାନକୁ ମନେ ପକାଇଛନ୍ତି । ନେହେରୁ-ଗାନ୍ଧି ପରିବାରକୁ ଟାର୍ଗେଟ କରି କିଭଳି ଅନ୍ୟମାନଙ୍କ ଅବଦାନକୁ ଅଣଦେଖା କରାଯାଇଛି, ସେହି ପ୍ରସଙ୍ଗ ଉଠାଇଛନ୍ତି ।

ତାରିଖ- ୨୧ ଅକ୍ଟୋବର ୧୯୪୩ । ସ୍ଥାନ- ଜାପାନର ସିଙ୍ଗାପୁର । ଆଜିକୁ ୭୫ ବର୍ଷ ତଳେ ଜାପାନ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ସର୍ବୋଚ୍ଚ କମାଣ୍ଡର ଭାବେ ଦାୟିତ୍ୱ ନେବା ସହ ସ୍ୱତନ୍ତ୍ର ଭାରତର ପ୍ରଥମ ସରକାର ଗଠନ ନେଇ ଘୋଷଣା କରିଥିଲେ ସୁଭାଷ ଚନ୍ଦ୍ର ବୋଷ । ଯାହାକୁ ଆଜାଦ ହିନ୍ଦ ସରକାର ବୋଲି କୁହାଗଲା । ଏପରିକି ନିଜକୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କଲେ ନେତାଜୀ । ସବୁଠାରୁ ବଡକଥା ହେଉଛି ବ୍ରିଟିସ ଶାସନରୁ ଭାରତକୁ ମୁକ୍ତ କରିବା ଲାଗି ଘୋଷଣା ହୋଇଥିବା ଏହି ଆଜାଦ ହିନ୍ଦ ସରକାରକୁ ୯ଟି ଦେଶର ସମର୍ଥନ ରହିଥିଲା । ଜାପାନ, ଜର୍ମାନୀ, ଇଟାଲି, ଫିଲିପାଇନ୍ସ, କ୍ରୋଏସିଆ, ନାନ୍ଜିଙ୍ଗ, ଥାଇଲାଣ୍ଡ, ବର୍ମା ଏବଂ ମାଂଚୁକୋ ଭଳି ଦେଶ ଆଜାଦ ହିନ୍ଦ ସରକାରକୁ ସମର୍ଥନ ଜଣାଇଥିଲେ ।

ବ୍ରିଟିସ ସେନା ଉପରେ ଆଜାଦ ହିନ୍ଦ ଫୌଜର ପ୍ରାୟ ୮୫ ହଜାର ସିପାହୀଙ୍କ ଆକ୍ରମଣ ପରେ ଜାପାନ ସେନା ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆଜାଦ ହିନ୍ଦ ଫୌଜକୁ ହସ୍ତାନ୍ତର କରିଥିଲେ । ଯାହାକୁ ନେତାଜୀ ସହିଦ ଓ ସ୍ୱରାଜ ନାଁରେ ନାମିତ କଲେ । ଏବଂ ମଣିପୁରର ମୌୟରାଙ୍ଗରେ ପ୍ରଥମକରି ଉଡିଥିଲା ଆଜାଦ ହିନ୍ଦ ଫୌଜର ଧ୍ୱଜା । ନେତାଜୀଙ୍କ ଦିଲ୍ଲୀ ଚଲୋ ଡାକରାରେ ଶହଶହ ସ୍ୱତନ୍ତ୍ର ସିପାହୀ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟ ଏଥିରେ ପୂର୍ଣ୍ଣଛେଦ ଟାଣିଦେଲା । ହେଲେ ଆଜାଦ ହିନ୍ଦ ଫୌଜର ଆହ୍ୱାନରେ ସ୍ୱତନ୍ତ୍ର ଭାରତ ସ୍ୱପ୍ନ ଦେଖୁଥିବା ସଂଗ୍ରାମୀଙ୍କ ପାଇଁ ନେତାଜୀଙ୍କ ଶେଷ ଆହ୍ୱାନ ଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ, ‘ମୋର ବିଶ୍ୱସ ରହିଛି ଯେ, ପୂର୍ବ ଏସିଆରେ ଥିବା ମୋ ଦେଶବାସୀଙ୍କ ସହାୟତାରେ ମୁଁ ଏଭଳି ଏକ ସେନାନୀ ଗଢିବାରେ ସଫଳ ହେବି ଯାହା ବ୍ରିଟିସ ସରକାରକୁ ଭାରତରୁ ତଡିଦେବାରେ ସମର୍ଥ ହେବ । ଭାରତରେ ଲଢୁଥିବା ସଂଗ୍ରାମୀମାନେ ମୋତେ ଏଥିରେ ସହଯୋଗ କରିବେ ବୋଲି ମୋର ବିଶ୍ୱାସ ।’

୭୫ ବର୍ଷ ପରେ ସ୍ୱତନ୍ତ୍ର ଭାରତ ଗଠନ ଲାଗି ନେତାଜୀଙ୍କ ସେହି ଅବଦାନକୁ ସ୍ୱୀକୃତି ଦେଇଛନ୍ତି ମୋଦି ସରକାର । ଇତିହାସରେ ପ୍ରଥମଥର ଲାଗି ଗୋଟିଏ ବର୍ଷରେ ଦ୍ୱିତୀୟ ଥର ଲାଗି ଦିଲ୍ଲୀର ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜାଦ ହିନ୍ଦ ସରକାର ଗଠନର ୭୫ ବର୍ଷ ପୂର୍ତି ପାଳନ କରିଛନ୍ତି କେନ୍ଦ୍ର ସରକାର ।

ମୋଦି ମୁଣ୍ଡରେ ଆଜାଦ ହିନ୍ଦ ଫୌଜର ଟୋପି ପିନ୍ଧି ତ୍ରିରଙ୍ଗା ଉଡାଇବା ସହ ଦେଶ ସ୍ୱାଧିନତାରେ ସୁଭାଷ ବୋଷଙ୍କ ଅବଦାନକୁ ମନେ ପକାଇ ନେହେରୁ-ଗାନ୍ଧି ପରିବାର ଉପରେ ତେରେଛା ବାଣ ମାରିଛନ୍ତିି । ମୋଦି କହିଛନ୍ତି ଦେଶ ସ୍ୱାଧିନତାରେ ଅନ୍ୟମାନଙ୍କ ଅବଦାନକୁ ଭୁଲାଇ ଦେବାକୁ ପ୍ରୟାସ କରାଯାଇଛି । ଆଜାଦ ହିନ୍ଦ ସରକାରର ସ୍ମାରକୀକୁ ଉନ୍ମୋଚନ କରିବା ସହ ଲାଲକିଲ୍ଲାର ତିନି ନମ୍ବର ବାରାକରେ ଏକ ସଂଗ୍ରହାଳୟ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।