ଓଡିଶାରୁ ଗଲା ନିମନ୍ତ୍ରଣ, ଦିଲ୍ଲୀରୁ ଆସିଲା ଶୁଭେଚ୍ଛା । ବାହାଘର ପାଇଁ ନିମନ୍ତ୍ରଣ କରିଥିଲେ କଟକ ଝିଅ, ନିମନ୍ତ୍ରଣ ରକ୍ଷା କରି ନବଦମ୍ପତ୍ତିଙ୍କୁ ଆଗୁଆ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ

7,793

କନକ ବ୍ୟୁରୋ: ଓଡିଆ ଝିଅର ନିମନ୍ତ୍ରଣ ରକ୍ଷା କଲେ ମୋଦି । କଟକ ଝିଅର କଥା ରଖି ନିମନ୍ତ୍ରଣ ପତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ବାହାଘର ପୂର୍ବରୁ କଟକ ଯୁବତୀ ରଞ୍ଜିତା ନାୟକଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ଭରା ଚିଠି । ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ରଞ୍ଜିତା ମୋଦିଙ୍କ ଠାରୁ ଏଭଳି ଆର୍ଶୀବାଦ ପାଇ ଖୁସିରେ ଫାଟି ପଡୁଥିବା ବେଳେ ଏହା ତାଙ୍କ ଜୀବନର ବଡ ଉପହାର ବୋଲି କହିଛନ୍ତି ।

ତେବେ ନିକଟରେ ଯୁବ ବ୍ୟବସାୟ ଅରବିନ୍ଦଙ୍କ ସହ ରଞ୍ଜିତାଙ୍କ ବିବାହ ସ୍ଥିର ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ । ଗତ ୧୦ ତାରିଖରେ ସେ ନିଜେ ଦିଲ୍ଲୀ ଯାଇ ମୋଦିଙ୍କୁ ଏ ନିମନ୍ତ୍ରଣ କରିଥିଲେ । ଯଦିଓ ସେ ସମୟରେ ମୋଦି ବିଦେଶ ଗସ୍ତରେ ଥିଲେ ମାତ୍ର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ରଞ୍ଜିତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରାଯାଇଥିଲା । ଆଉ ଶେଷରେ ମୋଦି ତାଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କୁ ଶୁଭେଚ୍ଛା ପତ୍ର ପଠାଇଛନ୍ତି ।

ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରଞ୍ଜିତା ବିଜେପିରେ ଯୋଗ ଦେଇଥିଲେ । ଆଉ ମୋଦି ୨ୟ ଥର ପ୍ରଧାନମନ୍ତ୍ରୀ ହୋଇ ଆସିବା ପରେ ହିଁ ସେ ବିବାହ କରିବେ ବୋଲି ମଧ୍ୟ ପଣ କରିଥିଲେ । ତେବେ ମୋଦିଙ୍କୁ ସମ୍ମାନ ଦେଉଥିବା ଆଉ ଖୁବ ଭଲପାଉଥିବା ରଞ୍ଜିତା ନିଜ ବିବାହର ପ୍ରଥମ କାର୍ଡ ତାଙ୍କୁ ପଠାଇଥିଲେ । ଆସନ୍ତା ୧୧ ତାରିଖରେ ଅରବିନ୍ଦ ଓ ରଞ୍ଜିତାଙ୍କ ବିବାହ ଥିବାରୁ ତା ଆଗରୁ ନବଦମ୍ପତ୍ତିଙ୍କ ନୂଆ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମୋଦିଙ୍କ ଆଶିର୍ବାଦ ପାଇ ବେଶ ଖୁସି ଅଛନ୍ତି ରଞ୍ଜିତାଙ୍କୁ ବିବାହ କରୁଥିବା ଯୁବକ ଅରବିନ୍ଦ ।

ସେପଟେ ଖାଲି ମୋଦି ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଏବଂ ବାଚସ୍ପତି ଓମ ବିର୍ଲା ମଧ୍ୟ ରଞ୍ଜିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାହାଘର ପାଇଁ ପୂରା ପରିବାର ବ୍ୟସ୍ତ ଥିବା ବେଳେ ମୋଦିଙ୍କ ଶୁଭେଚ୍ଛା ସାରା ପରିବାର ପାଇଁ ଖୁସି ଆଣିଦେଇଛି ।