ସେନା ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ! କେଦାରନାଥରେ ପୂଜାର୍ଚ୍ଚନା ପରେ ଜ୍ୟୋତିର୍ଲିଙ୍ଗରେ କଲେ ଜଳାଭିଷେକ ।

ପ୍ରଧାନମନ୍ତ୍ରୀଙ୍କ ଶିବ ଭକ୍ତ ଅବତାର ।

92

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଶିବ ଭକ୍ତ ଅବତାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ଗସ୍ତ କରି ଦୀର୍ଘ ଅଧ କିଲୋମିଟର ବାଟ ପାଦରେ ଚାଲି ଚାଲି ମହାଦେବଙ୍କ ପୀଠରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ଶିବଙ୍କୁ ଜଳାଭିଷେକ କରିଛନ୍ତି ମୋଦି । ପୂର୍ବରୁ ସେନା ବେସରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ।

ସୂଚନା ଅନୁଯାୟୀ, ଉତରାଖଣ୍ଡ ହର୍ଷାଲିରେ ଯବାନଙ୍କ ସହ ଦୀପାବଳି ପାଳିବା ପରେ ବାବାଙ୍କ ଦର୍ଶନ ଲାଗି ପହଂଚିଥିଲେ ପ୍ରଧାନମନ୍ତ୍ରୀ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗରେ କରିଛନ୍ତି ଜଳାଭିଷେକ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ତୃତୀୟଥର ଲାଗି କେଦାରନାଥରେ ପୂଜାର୍ଚ୍ଚନା କରିଛନ୍ତି । ମୋଦିଙ୍କ ଗସ୍ତଲାଗି ମନ୍ଦିରରେ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା । ୩ ଟନ୍ ଫୁଲରେ ସୁସଜ୍ଜିତ ହୋଇଥିଲା ମନ୍ଦିର ପରିସର । ମନ୍ଦିର ମୁଖ୍ୟଦ୍ୱାରକୁ ଫୁଲ ଓ ରଙ୍ଗୋଲିରେ ବେଶ ଆକର୍ଷଣୀୟ ଭାବେ ସଜା ଯାଇଥିଲା । ହେଲିକପ୍ଟରରୁ ଓହ୍ଲାଇବା ପରେ ଅଧ କିଲୋମିଟର ବାଟ ପାଦରେ ଚାଲି ଚାଲି ମହାଦେବଙ୍କ ପୀଠକୁ ଯାଇଥିଲେ ମୋଦି । କେଦାରନାଥ ପୀଠର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ରାସ୍ତାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଉପସ୍ଥିତ ଲୋକମାନେ ମୋଦିଙ୍କୁ ସ୍ୱାଗତ କରିବା ସହ ସେଲଫି ଉଠାଇବାକୁ ମଧ୍ୟ ଭୁଲିନଥିଲେ ।

କେଦାରନାଥ ଧାମ ଗସ୍ତ ପୂର୍ବରୁ ୧୧ହଜାର ଫୁଟ ଉଚ୍ଚରେ ଭାରତ-ଚୀନ ସୀମା ହର୍ଷାଲିରେ ସେନା ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଯବାନଙ୍କୁ ସମ୍ବୋଧିତ କରିବା ସହ ସେନାଙ୍କୁ ମିଠା ଖୁଆଇ ଜଣାଇଥିଲେ ଦୀପାବଳୀର ଶୁଭେଚ୍ଛା । ଭାରତୀୟ ସେନାର ନେଲାଙ୍ଗ ପୋଷ୍ଟରେ ଆଜି ସକାଳୁ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ପର୍ବପର୍ବାଣୀରେ ନିଜ ଘର ପରିବାରଠାରୁ ଦୂରରେ ରହି ଦେଶର ସେବା କରୁଥିବା ସୁରକ୍ଷା କର୍ମୀଙ୍କ ସହ ସମୟ ବିତାଇଥିଲେ ମୋଦି । ସେନା ମୁଖ୍ୟ ବିପିନ ରାୱତ ଓ ଆଇଟିବିପି ଡିଜି ଏସଏସ ଦେଶବାଲ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।