ଟଙ୍କାର ମୂଲ୍ୟ ହ୍ରାସ ଓ ତୈଳ ଦର ବୃଦ୍ଧି ବଢାଉଛି ସରକାରଙ୍କ ଚିନ୍ତା : ଅର୍ଥନୈତିକ ସମୀକ୍ଷା ଲାଗି ଆଜି ପ୍ରଧାନମନ୍ତ୍ରୀ କରିବେ ବୈଠକ

36

କନକ ବ୍ୟୁରୋ : ଟଙ୍କାର ମୂଲ୍ୟ ହ୍ରାସ ଓ ତୈଳ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇଛି । ଆଉ ମୋଦିଙ୍କୁ ଘାରିଛି ତେଲ ଚିନ୍ତା । ଆଜି ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏଥିରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ରାଜସ୍ୱ ସଚିବ , ଆର୍ଥିକ ମାମଲାର ସଚିବ ପ୍ରମୁଖ ଯୋଗଦେବେ । ବୈଠକରେ ତୈଳଦର ବୃଦ୍ଧି ଓ ଟଙ୍କାର ଅବମୂଲ୍ୟାୟନ ସମ୍ପର୍କରେ ଆଲୋଚନା କରାଯିବ । ଗତକାଲି ରାତିରେ ମଧ୍ୟରେ ନରେନ୍ଦ୍ର ମୋଦି ଏନେଇ ଆଲୋଚନା କରିଥିଲେ । ତୈଳ ଦର ବୃଦ୍ଧି ଏବେ ଲୋକଙ୍କ ପକେଟକୁ ବାଧିଛି । ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ପାର କରିଥିବାବେଳେ ଡିଜେଲ ବି ପାଖାପାଖ ୮୦ ଟଙ୍କା ଛୁଇଁଛି । ଏହାକୁ ନେଇ କିଛିଟା ଅସନ୍ତୋଷ ଦେଖାଦେଇଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଆଜିର ସମୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।

ମେ’ ମାସ ମଧ୍ୟଭାଗରୁ ସେପ୍ଟେମ୍ବର ୧୪ ତାରିଖ ଅର୍ଥାତ୍ ପ୍ରାୟ ୪ ମାସ ଭିତରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଲିଟର ପିଛା ପାଖାପାଖି ୭ଟଙ୍କା ବଢାଇ ସାରିଲେଣି । ସେହିଭଳି ଏହି ସମୟ ମଧ୍ୟରେ ଡିଜେଲ ଦର ବଢିଛି ଲିଟର ପିଛା ପାଖାପାଖି ୮ ଟଙ୍କା । ଉଲ୍ଲେଖଯୋଗ୍ୟ, ଗତ ମେ’ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହୋଇଥିଲା । ଏପ୍ରିଲ ମାସରୁ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହିତ ପ୍ରଚାର ଜୋର ଧରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ପ୍ରଚାରର ମଙ୍ଗ ଧରିଥିଲେ । ହେଲେ ଯେଉଁ ସମୟରେ ପ୍ରଚାର ତାତି ବଢିଲା, ହଠାତ୍ ସେହି ସମୟରେ ତେଲ ଦର ସ୍ଥିର ରହିଲା । ଦେଖାଯାଇଛି ଯେ ସରକାରୀ ତେଲ କମ୍ପାନି ଗୁଡ଼ିକ ୧୯ ଦିନ ଧରି ପେଟ୍ରୋଲ, ଡିଜେଲ ଦରରେ ପଇସାଟିଏ ପରିବର୍ତ୍ତନ ଆଣିଲେ ନାହିଁ ।