ଚାଷୀଙ୍କ ଖାତାକୁ ଆସିଲା ମୋଦିଙ୍କ ଟଙ୍କା ! ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା, ଓଡିଶା ଚାଷୀଙ୍କୁ ମିଳିଲାନି ଟଙ୍କା ।

498

କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ପହଂଚିଲା ମୋଦିଙ୍କ ଟଙ୍କା । ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ଏକ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ପହଂଚିଛି ୨ ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି  । ପର୍ଯ୍ୟାୟକ୍ରମେ ୧୨ କୋଟି ଚାଷୀଙ୍କ ପାଖକୁ ୩ଟି କିସ୍ତିରେ ଟଙ୍କା ପଠାଇବେ ମୋଦି । ବଡ କଥା ହେଉଛି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଚାଷୀଙ୍କୁ ଟଙ୍କା ମିଳି ନାହିଁ  । କାରଣ ଚୁଡାନ୍ତ ହୋଇପାରି ନାହିଁ ଚାଷୀଙ୍କ ତାଲିକା  । ଆଉ ଏପଟେ କାଳିଆ ଏବଂ ପିଏମ୍ କିଷାନ୍ ଯୋଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ଆରମ୍ଭ ହେଲା ପିଏମ୍ କିଷାନ୍ ଯୋଜନା । ଚାଷୀଙ୍କ ଖାତାକୁ ଆସିଲା ମୋଦିଙ୍କ ଟଙ୍କା । ‘ଆୟୁଷ୍କାନ ଭାରତ’ ପରେ ମୋଦି ସରକାରଙ୍କ ସବୁଠୁ ବଡ ମହତକାଂକ୍ଷୀ ଯୋଜନା-ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧୀ ଯୋଜନାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । ନିର୍ବାଚନ ପୂର୍ବରୁ ଏକ ବଡ ଭୋଟ୍ ବ୍ୟାଙ୍କ୍ କୁହାଯାଉଥିବା ଚାଷୀ ସଂପ୍ରଦାୟଙ୍କୁ ମନ ଜିଣିବାକୁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର ।

-ପ୍ରଥମ ପର୍ଯ୍ୟାୟରେ ଏକ କୋଟିରୁ ଅଧିକ ଚାଷୀଙ୍କ ପାଖକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା

-ଅବଶିଷ୍ଟ ଚାଷୀଙ୍କ ପାଖକୁ କିଛି ସପ୍ତାହ ମଧ୍ୟରେ ଟଙ୍କା ପଠାଇବେ କେନ୍ଦ୍ର ସରକାର

-ପର୍ଯ୍ୟାୟକ୍ରମେ ୧୨ କୋଟି ଚାଷୀଙ୍କ ପାଖକୁ ୩ଟି କିସ୍ତିରେ ଟଙ୍କା ପଠାଇବେ ମୋଦି ସରକାର

-୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ

-ଦେଶର ୨୧ଟି ରାଜ୍ୟରୁ ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦିଆଯାଇଛି

ଆଉ ଏସବୁ ଭିତରେ ଯେଉଁ ରାଜ୍ୟ ଗୁଡ଼ିକ କେନ୍ଦ୍ର ସରକାରଙ୍କୁ ପିଏମ୍ କିଷାନ୍ ଯୋଜନା ପାଇଁ ଚାଷୀଙ୍କ ତାଲିକା ଦେଇ ନାହାଁନ୍ତି ସେହି ରାଜ୍ୟ ଗୁଡିକ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ବଡ଼ କଥା ହେଉଛି, ପିଏମ୍ କିଷାନ୍ ଯୋଜନା ପାଇଁ ଓଡ଼ିଶାରୁ ପ୍ରଥମ ପର୍ଯ୍ୟାୟରେ ଯାଇଛି ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା । ହେଲେ ତାଲିକା ଚୁଡାନ୍ତ ହୋଇନଥିବାରୁ ଓଡ଼ିଶା ଚାଷୀଙ୍କ ଖାତାକୁ ମୋଦିଙ୍କ ଟଙ୍କା ପହଂଚିପାରିନାହିଁ । ଅନ୍ୟପଟେ ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଟଙ୍କାର ପରିମାଣକୁ ୬ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା, ଭୂମିହୀନ ଓ ଭାଗଚାଷୀଙ୍କୁ ଯୋଜନାରେ ସାମିଲପାଇଁ ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜନୀତିର ଏହି ବୟାନବାଜି ଭିତରେ ପ୍ରଶ୍ନ ଉଠୁଛି, ଓଡ଼ିଶା ଚାଷୀଙ୍କ ସଂପୂର୍ଣ୍ଣ ତାଲିକା ଦେବାରେ କାହିଁକି ବିଳମ୍ବ କରୁଛନ୍ତି ରାଜ୍ୟ ସରକାର? ୧୨ ଲକ୍ଷ ଚାଷୀଙ୍କ ତାଲିକା ଦେବା ସତ୍ୱେ କାହିଁକି ଓଡ଼ିଶା ଚାଷୀଙ୍କୁ ଟଙ୍କା ପଠାଇବାରେ ବିଳମ୍ବ କରୁଛନ୍ତି ମୋଦି ସରକାର ?