ଲାଗୁ ହେଲା ପିଏମ କିଷାନ ଯୋଜନା । ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପ୍ରଥମ କିସ୍ତିରେ ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା ।

197

କନକ ବ୍ୟୁରୋ: ଚାଷୀଙ୍କୁ ମୋଦିଙ୍କ ଭେଟି । ଉତ୍ତରପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଳିଥିବା ସୂଚନା ଅନୁସାରେ, ଦେଶର ୧୨କୋଟି କୃଷକଙ୍କ ଖାତାକୁ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶ ପାଇଁ ଐତିହାସିକ ଦିନ । ଭାରତକୁ ବିକାଶ ଦିଗରେ ଆଗେଇ ନେଉଥିବା କୃଷକ ଭାଇଙ୍କ ହାତକୁ ଏହି ଯୋଜନା ବଳ ଦେବାସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବ ।

ପିଏମ କିଷାନ ଯୋଜନାରେ ଭାରତର ଅନେକ ଚାଷୀ ଲାଭବାନ ହେବେ । କାରଣ ସେମାନଙ୍କ ପାଇଁ ଆମେ ମାନେ ଖାଦ୍ୟ ପାଇପାରୁଛୁ । ପୂର୍ବରୁ ଆମ ସରକାର ଅନ୍ତରୀଣ ବଜେଟରେ କିଷାନ ପାଇଁ ଏହି ଯୋଜନାର ଘୋଷଣା କରିଥିଲେ । ଦେଶର ୧୨ କୋଟି ଚାଷୀଙ୍କ ଖାତାକୁ ଏହି ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଏଁ ଯିବ । ୩ଟି କିସ୍ତିରେ ବର୍ଷକୁ ମୋଟ୍ ୬ ହଜାର ଟଙ୍କା ଚାଷୀମାନେ ପାଇପାରିବେ । ଯେଉଁମାନଙ୍କ ପାଖରେ ୨ ହେକ୍ଟର କିମ୍ବା ତାହାଠାରୁ କମ ଜମି ଥିବ ଏହି ଯୋଜନାରେ ଲାଭ ଉଠାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ‘ପିଏମ କିଷାନ’ ଯୋଜନା ନେଇ ସାରା ଦେଶରେ ଏହାକୁ ସ୍ୱାଗତ କରାଯାଇଛି । ପୂର୍ବରୁ ରାଜ୍ୟ ସରକାର ‘ପିଏମ କିଷାନ’ ଯୋଜନାରେ ସାମିଲ ହେବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେଣୁ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇଥିବା ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଖୁବଶୀଘ୍ର ରାଜ୍ୟର ଚାଷୀ ଭାଇମାନଙ୍କ ଖାତାକୁ ‘ପିଏମ କିଷାନ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିବ । ତେବେ ‘ପିଏମ କିଷାନ’ ଯୋଜନାରେ ମିିଳିଥିବା ଟଙ୍କାକୁ କୃଷକମାନେ ନିଜ ନିଜର କ୍ଷେତବାଡ଼ି କାର୍ଯ୍ୟରେ ଲଗାଇପାରିବେ ଯାହାଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି । ସେହିପରି କିପରି ଏହି ଯୋଜନାରେ କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତୁ ତାହା ଉପରେ କଡ଼ା ନଜର ରଖିଛନ୍ତି କେନ୍ଦ୍ର ସରକାର ।