ଦଳିତଙ୍କ ପାଇଁ ରାଜନୀତିରେ ନିଆଁ । କଂଗ୍ରେସର ଦେଶବ୍ୟାପୀ ଧାରଣା । ରାଜଘାଟରେ ରାହୁଲଙ୍କ ଅନଶନ

47

କନକ ବ୍ୟୁରୋ: ଦଳିତଙ୍କୁ ନେଇ ବଡ ରାଜନୀତି । ଉପବାସରେ ବସିଲେ ରାହୁଲ ଗାନ୍ଧି । ସେପଟେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି କେତେକ ସଂଗଠନ । ଗୃହ ମନ୍ତ୍ରାଳୟ ମଧ୍ୟ ବନ୍ଦ ପାଇଁ ଜାରି କରିଛି ଗାଇଡଲାଇନ୍ । ଏହିଭଳି ଭାବେ ଦଳିତଙ୍କୁ  ନେଇ ରାଜନୀତି ତେଜିବାରେ ଲାଗିଛି । ସେପଟେ ବିଜେପି କହିଛି, ଏହା ଉପବାସ ନୁହେଁ ଉପହାସ । କଂଗ୍ରେସ ଦଙ୍ଗା ମାଷ୍ଟର ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

ଆଜି ଜାତିବାଦ ରାତନୀତିକୁ ଜୋରଦାର କରି ଅନଶନକୁ ଓହ୍ଲାଇଛି କଂଗ୍ରେସ । ଦଳିତଙ୍କ ସମର୍ଥନରେ ଦେଶବ୍ୟାପୀ ଅନଶନ ଓ ଧାରଣା ଦେଇଛି ଦଳ । ଦିଲ୍ଲୀର ରାଜଘାଟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଅନଶନରେ ବସିଥିଲେ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଦଳିତ ବିରୋଧୀ କହି ଏଭଳି ପ୍ରତିକ ଅନଶନ କରିଛି କଂଗ୍ରେସ । ଦିନ ସାଢେ ୧୦ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଅନଶନ ସହ ଧାରଣା ଦିଆଯାଇଛି । ଓଡିଶାରେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଧାରଣା ଓ ପ୍ରତିକ ଅନଶନ କରାଯାଇଛି ।

ଆଉ ଏକ ଘଟଣାକ୍ରମରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । ଅନୁସୂତିଜ ଜାତି ଓ ଉପଜାତି ଆଇନରେ ସଂଶୋଧନ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଗତ ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ପାଳନ କରିଥିଲେ ଦଳିତ ସଂଗଠନଗୁଡିକ । ବିଭିନ୍ନ ରାଜ୍ୟରେ ହିଂସାତ୍ମକ ପ୍ରତିବାଦ ଯୋଗୁଁ ୯ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପ୍ରତିବାଦରେ ୧୦ ତାରିଖରେ ଭାରତ ବନ୍ଦ ପାଇଁ ସୋସିଆଲ ମିଡିଆରେ ଚାଲିଛି କ୍ୟାମ୍ପେନ । ଦଳିତଙ୍କ ପାଇଁ ସଂରକ୍ଷଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ହେଲେ ବନ୍ଦ ପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

– ବନ୍ଦବେଳେ ଅଘଟଣ ଏଡାଇବାକୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବେ ରାଜ୍ୟ ସରକାର

– ସମ୍ବେଦନଶୀଳ ଅଂଚଳରେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ କୁହାଯାଇଛି

– ଆନ୍ଦୋଳନ ସମୟରେ ସଂପତ୍ତି ଓ ଧନଜୀବନର ସୁରକ୍ଷା ପାଇଁ ବନ୍ଦୋବସ୍ତ କରିବେ

– ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଜିଲ୍ଲାପାଳ ଓ ଏସପି ଉତ୍ତରଦାୟୀ ରହିବେ

ଜାତିକୁ ନେଇ ରାଜନୀତି ଆମ ଦେଶରେ କିଛି ନୂଆକଥା ନୁହେଁ । କିନ୍ତୁ ଏସସି-ଏସଟି ଆଇନରେ ସଂଶୋଧନ ନେଇ ସୁପ୍ରିମନକୋର୍ଟଙ୍କ ରାୟ ପରେ ଦଳିତ ସମର୍ଥକ ଓ ଦଳିତ ବିରୋଧୀ ସଂଗଠନଗୁଡିକୁ ସାଙ୍ଗରେ ନେଇ ଜୋରଦାର ହୋଇଛି ରାଜନୈତିକ ଲଢେଇ ।